ଧଉଳି : ଜମି ଦେବାକୁ କହି ଜଣେ ସେଲ୍ସ ଟ୍ୟାକ୍ସ ଅଫିସରଙ୍କଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିବା ଜଣେ ଦଲାଲକୁ ଆଜି ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଧଉଳି ଥାନା ଅଞ୍ଚଳର ଅନାଥ ପଣ୍ଡା (୫୦)। ଅନାଥ ନାମରେ ଥାନାରେ ଏକାଧିକ ଜମି ଦଲାଲି ମାମଲା ରହିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ୨୦୦୯ ମସିହାରେ ଧଉଳି ଥାନା ଅଞ୍ଚଳରେ ୨୦୦୦ ବର୍ଗଫୁଟ ଜମି ଯୋଗାଇ ଦେବାକୁ କହି ଅଶୋକ ଚନ୍ଦ୍ର ମହାନ୍ତି ନାମକ ସେଲ୍ସ ଟ୍ୟାକ୍ସ ଅଫିସରଙ୍କଠାରୁ ସେ ୨ ଲକ୍ଷ ୭୦ ହଜାର ଟଙ୍କା ନେଇଥିଲେ। ମାତ୍ର ଜମି ଦେଇନଥିଲେ କି ଟଙ୍କା ଫେରସ୍ତ କରିନଥିଲେ। ଅଶୋକ ଟଙ୍କା ମାଗିବାରୁ ସେ ଧମକ ଦେଇଥିଲେ। ଶେଷରେ ଅଶୋକ ନିରାଶ ହୋଇ ଭୁବନେଶ୍ବର ଏସ୍ଡିଜେଏମ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆଜି କୋର୍ଟ ୱାରେଣ୍ଟ ବଳରେ ଧଉଳି ଥାନା ପୁଲିସ ଅନାଥଙ୍କୁ ଗିରଫ କରିଥିଲା। ତାଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି।
ଡିକି ଭାଙ୍ଗି ଚୋରି, ଜଣେ ଗିରଫ
ଭୁବନେଶ୍ୱର : ଡିକି ଭାଙ୍ଗି ଚୋରି କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଭୀମଟାଙ୍ଗୀର ନିରଞ୍ଜନ ସ୍ବାଇଁକୁ ଗିରଫ କରିଛି। ତା’ଠାରୁ ଚୋରି ହୋଇଥିବା ୧୨୦୦ ଟଙ୍କା, ପେନ୍ ଡ୍ରାଇଭ୍, ଏଟିଏମ୍ କାର୍ଡ ସହ ଅନ୍ୟାନ୍ୟ ଜରୁରି କାଗଜପତ୍ର ଜବତ କରାଯାଇଛି। ଅପରାହ୍ଣରେ ତାକୁ କୋର୍ଟ ଚାଲଣ କରାଯାଇଛି। ଗତ ସୋମବାର ପୂର୍ବାହ୍ନରେ ନିଆଳିର ପ୍ରିୟଦର୍ଶିନୀ ସାହୁ ରାଜଭବନ ଆଗରେ ସ୍କୁଟି ରଖି ବଗିଚା ଦେଖିବା ପାଇଁ ଯାଇଥିଲେ। ଫେରିବା ବେଳକୁ ତାଙ୍କର ଗାଡ଼ିର ଡିକି ଭଙ୍ଗା ଯାଇଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ। ଗତକାଲି ପୁଲିସ ଡ୍ୟୁଟି କରୁଥିବା ବେଳେ ନରଞ୍ଜନ ସେଠାରେ ସନ୍ଦେହଜନକ ଭାବରେ ବୁଲୁଥିଲେ। ବିଭିନ୍ନ ଗାଡ଼ି ଉପରେ ନଜର ପକାଉଥିଲେ। ସନ୍ଦେହରେ ପୁଲିସ ଧରି ପଚରାଉଚରା କରିବା ପରେ ସେ ଗତକାଲି ଡିକି ଭାଙ୍ଗି ଚୋରି ବିଷୟରେ ମାନିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/arrest-ff.jpeg)