ପପୁ ଜେନା ହତ୍ୟାକାଣ୍ଡ : ଅଭିଯୁକ୍ତ ଆଲୋକ ଗିରଫ, ବାସନ୍ଦ ପାଇଁ ବୈଠକ

ଖଣ୍ଡଗିରି : ସ୍ଥାନୀୟ ବାହାଦଲପୁର ପପୁ ଜେନା ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ଆଲୋକକୁ ଧରିବାରେ ସଫଳ ହୋଇଛି। ପୁଲିସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇନଥିଲେ ମଧ୍ୟ ତା’କୁ ଖୋର୍ଧା‌ ସହର ଉପକଣ୍ଠରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତେଣୁ ଖୁବ୍‌ ଶୀଘ୍ର ମୁଖ୍ୟ ଅଭିଯୁକ୍ତ ବାପି-ହାପି ଯୋଡ଼ି ଧରାପଡ଼ିବେ ବୋଲି ଆଶା କରାଯାଉଛି। ଏଣେ ଗାଁରେ ହତ୍ୟା ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଲୋକେ ଏକାଠି ହେଉଥିବା ଖବର ମିଳୁଛି। ସେମାନଙ୍କୁ ତଥା ସେମାନଙ୍କ ପରିବାରକୁ ଗାଁରୁ ବାସନ୍ଦ କରିବାକୁ ଘନଘନ ବୈଠକ ବସୁଥିବା ଜଣାପଡ଼ିଛି।

ସୂଚନାନୁସାରେ ଆଲୋକ ଧରାପଡ଼ିବା ପରେ ପୁଲିସକୁ ବାପି ଓ ହାପିର ଆତ୍ମଗୋପନ ସ୍ଥାନ ବାବଦରେ ‌ବେଶ୍‌ କିଛି ତଥ୍ୟ ମିଳିଛି। ମାତ୍ର ସେଥିରୁ କିଛି ଏବେ ଭୁଲ୍ ପ୍ରମାଣିତ ହୋଇଛି। ସ୍ବାଭାବରେ ନିଶାଡ଼ି ହୋଇ ସାରିଥିବା ଆଲୋକ କଥାରେ ତାଳମେଳ ରହୁନଥିବାରୁ ଏ ପର୍ଯ୍ୟନ୍ତ ପୁଲିସକୁ ଆଉ ଅଧିକ ସଫଳତା ମିଳିପାରିନାହିଁ। ସେ ଯେଉଁ ସବୁ ସମ୍ଭାବ୍ୟ ସ୍ଥାନ ବାବଦ‌ରେ ପୁଲିସକୁ ସୂଚନା ଦେଉଛି, ସେଠି ଚଢ଼ଉ କରି ପୁଲିସ ଖାଲି ହାତରେ ଫେରିବା ସାର ହେଉଛି। ତେଣୁ ଅନୁମାନ କରାଯାଉଛି ପେସାଦାର ତଥା ଧୂର୍ତ୍ତ ବାପି ଫେରାର୍ ଅବସ୍ଥାରେ ନିଶାଡ଼ି ଆଲୋକକୁ ସାଙ୍ଗରେ ରଖିବାକୁ ନିରାପଦ ମଣିନାହିଁ। ତା’କୁ ଜଣେ ଦୂର ସମ୍ପର୍କୀୟଙ୍କ ଘରେ ଛାଡ଼ି ଦେଇ ସେମାନେ ପାର୍ ହୋଇ ଯାଇଛନ୍ତି। ଏମିତିକି ସେମାନେ ତା’କୁ ସେମାନଙ୍କ ଲୁଚିବା ସ୍ଥାନ ବାବଦରେ ମିଛ କହି ବହୁ ଦୂରକୁ ଚାଲି ଯାଇଛନ୍ତି। ସୂଚନାଯୋଗ୍ୟ ‌ଯେ ଗତ ଗୁରୁବାର ସନ୍ଧ୍ୟାରେ ଭରତ ସାହୁ ଓରଫ୍ ବାପି ତା’ର ସହ‌ଯୋଗୀ ହାପି ଓ ଆଲୋକକୁ ନେଇ ପପୁ ଓ ତାଙ୍କ ବାପା ଅଭିମନ୍ୟୁ ଜେନାଙ୍କ ଉପରକୁ ଗୁଳି କରିବାରୁ ପପୁଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର