ବାଲିଅନ୍ତା : ବାଲିଅନ୍ତା ତହସିଲ ଅଧୀନ ରାୟଗୁରୁ ବାସୁଦେଇପୁର ଗ୍ରାମକୁ ବସୁନ୍ଧରା ଯୋଜନାରେ ସରକାରୀ ଜମି ଚିହ୍ନଟ ପାଇଁ ଯାଇଥିବା ପ୍ରତାପଶାସନ ଆର୍ଆଇ(ବାଳକାଟି) ରଂଜନ କୁମାର ନାୟକଙ୍କୁ ଉକ୍ତ ଗ୍ରାମର ନ’ ଜଣ ଅଭିଯୁକ୍ତ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ଖୋଦ୍ ତହସିଲଦାର ଅକ୍ଷୟ କୁମାର ରାଉତ ଆଜି ସଂଧ୍ୟାରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତହସିଲଦାର ଶ୍ରୀ ରାଉତଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରି ଏନେଇ କେସ୍ ନଂ ୩/୧୮ ରେ ଏକ ମାମଲା ରୁଜୁ ହୋଇଛି। ଏଥିସହିତ ପୁଲିସ ଉପରୋକ୍ତ ଗଣ୍ଡଗୋଳ ମାମଲାରେ ସଂପୃକ୍ତ ଜଣେ ମାତ୍ର ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
ତହସିଲଦାରଙ୍କ ସୂଚନାନୁଯାୟୀ ଉକ୍ତ ଗ୍ରାମର ବିଷ୍ଣୁ ଚରଣ ପାତ୍ରଙ୍କ ସହିତ ଅନ୍ୟ ୩ ଜଣ ଭୂମିହୀନ ଗରିବ ପରିବାରକୁ ‘ବସୁନ୍ଧରା’ ଯୋଜନାରେ ଦୁଇ ଡେସିମିଲ ଲେଖାଏଁ ସରକାରୀ ଜମି ଯୋଗାଇ ଦିଆଯାଇଛି। ହେଲେ ଗ୍ରାମର ଚକ୍ରଧର ପରିଡ଼ାଙ୍କ ପରିବାର ସହିତ ଗ୍ରାମର ଆଉ କେତେଜଣ ସହଯୋଗୀ ଏହାକୁ ଦୀର୍ଘଦିନ ହେବ ବିରୋଧ କରି ଆସୁଥିଲେ। ଫଳରେ ବିଜୁ ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିବା ଏହି ପରିବାର ନିକଟରେ ବ୍ଲକ ସଭାକକ୍ଷରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଏ ବିଷୟରେ ଜଣାଇଥିଲେ। ବୁଧବାର ତହସିଲଦାର ଶ୍ରୀ ରାଉତ ଗ୍ରାମରେ ପହଞ୍ଚି ବିରୋଧ କରୁଥିବା ପରିବାରଙ୍କ ସହିତ ଆଲୋଚନା କରିଥିବା ବେଳେ ଆଜି ପ୍ରତାପଶାସନ ଆର୍ଆଇ ଶ୍ରୀ ନାୟକ ଉକ୍ତ ଜମି ଦଖଲ ପାଇଁ ଯାଇଥିଲେ। ହେଲେ ଚକ୍ରଧରଙ୍କ ସହିତ ତାଙ୍କ ପରିବାର ଓ ୩ ଜଣ ସହଯୋଗୀ ରଂଜନଙ୍କୁ ମାଡ଼ ମାରିଥିଲେ। ପୁଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିପାରିନି। ଅନ୍ୟ ପକ୍ଷରେ ଆର୍ଆଇଙ୍କୁ ମାଡ଼ ମାରିବା ପ୍ରତିବାଦରେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ତୁରନ୍ତ ଗିରଫ ନକଲେ ସମସ୍ତ ତହସିଲ କର୍ମଚାରୀ ଓ ଆର୍ଆଇ କଲମଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।