ବାଲିଗୁଡ଼ାରୁ ଚିତାବାଘ ଚମଡ଼ା ଜବତ, ଜଣେ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ବାଘ ଶିକାର ଓ ଚମଡ଼ା, ଦାନ୍ତ, ନଖ ଚୋରା ଚାଲାଣ ରାକେଟ୍‌ ତଥାପି ସକ୍ରିୟା ରହିଛି। ଆଜି ବାଲିଗୁଡ଼ା ବନ ବିଭାଗ ଟିମ୍‌ ଗୋଟିଏ ଚିତାବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ବାଲିଗୁଡ଼ାର ବିଦ୍ୟାଧର ନାୟକ। ସେ ଚିତାବାଘ ଚମଡ଼ା ବ୍ୟବସାୟ କରୁଥିବା ଖବର ପାଇ ବନବିଭାଗ କର୍ମଚାରୀ ବାଲିଗୁଡ଼ା ପାଖ ସିର୍ତ୍ତିଗୁଡ଼ା ଛକ ନିକଟରେ ଚଢ଼ଉ କରି ତାକୁ ବାଘ ଚମଡ଼ା ସହ ଗିରଫ କରିଥିଲେ। ଜବତ ଚିତାବାଘ ଚମଡ଼ାର ଲମ୍ବ ୮ ଫୁଟରୁ ଅଧିକ। ଏ ନେଇ ବାଲିଗୁଡ଼ା ରେଞ୍ଜର୍‌ କହିଛନ୍ତି, ଗିରଫ ଜଣଙ୍କ ଚିତାବାଘ ଚମଡ଼ା ବ୍ୟବସାୟ କରୁଥିବା ଖବର ପାଇ ଆମେ ତାଙ୍କ ଗତିବିଧି ଉପରେ କିଛିଦିନ ହେଲା ନଜର ରଖିଥିଲୁ। ଆଜି ସର୍ତ୍ତିଗୁଡ଼ା ଛକ ନିକଟରେ ବାଘ ଛାଲ ଧରି ଗରାଖକୁ ବିକିବାକୁ ଯିବା ସମୟରେ ତାକୁ ଧରିବାରେ ସଫଳ ହୋଇଛୁ।

ସମ୍ବନ୍ଧିତ ଖବର