ନାବାଳିକା ମା’ ହେବା ଘଟଣା: ଜଣେ ଗିରଫ, ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କେବେ?

ଭଦ୍ରକ/ତିହିଡି: ଜଣେ ନାବାଳିକା ମା’ ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାକୁ ଆସିଥିବା ବେଳେ ସଂପୃକ୍ତ ନାବାଳିକା ମାଆଙ୍କୁ ନ୍ୟାୟ ଠିକ୍ ଭାବେ ମିଳୁ ନାହିଁ। ନ୍ୟାୟ ପାଇଁ ସଂପୃକ୍ତ ନାବାଳିକାଙ୍କର ବାପା ପୁଲିସ ବାବୁଙ୍କ ଦ୍ବାରସ୍ତ ହୋଇଥିଲେ। ପୁଲିସ ମାମଲା ରୁଜୁ କରିବା ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାରେ ତିନି ଜଣଙ୍କର ସଂପୃକ୍ତି ରହିଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରି ଅନ୍ୟ ଦୁଇ ଜଣଙ୍କୁ ଗିରଫ କରୁ ନାହିଁ କାହିଁକି। ତିହିଡି ପୁଲିସ ଜଣଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ନକରି ଏଭଳି ଚୂପ୍ ହୋଇ ବସି ରହିବା ପଛରେ କାରଣ କଣ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ପୁଲିସ ଉପରେ ରାଜନୈତିକ ଚାପ ପଡୁଛି କି! ନା ପୁଲିସ ଅପରାଧୀଙ୍କୁ ଜାଣିଶୁଣି ଗିରଫ କରୁନାହିଁ। ଏଇ ଦୁଇଟି କାରଣ ମଧ୍ୟରୁ କେଉଁ କାରଣଟି ସତ! ତାହାର ଉତ୍ତର ‌ଖୋଜୁଛନ୍ତି ସାଧାରଣ ଲୋକେ। ଏବେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ନୟାଗଡ ଜିଲ୍ଲାର ଶିଶୁ କନ୍ୟା ‘ପରୀ’ ହତ୍ୟାକାଣ୍ଡ ମାମଲାକୁ ଚପାଇ ଦେବା ପରି ଭଦ୍ରକ ଜିଲ୍ଲାର ତିହିଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ସେହି ଅଞ୍ଚଳର ଦୁଇ ଅଭିଯୁକ୍ତଙ୍କ ସଂପର୍କ ପରେ ସଂପୃକ୍ତ ନାବାଳିକାଙ୍କୁ ଗର୍ଭବତୀ କରାଇ ଫେରାର ହୋଇଯାଇଛନ୍ତି। ନାବାଳିକା ଜଣଙ୍କ ମାଆ ହେବା ଖବର ଜଣାପଡିବା ପରେ ସଂପୃକ୍ତ ନାବାଳିକାଙ୍କର ବାପା ଘଟଣା ସଂପର୍କରେ ତିହିଡି ପୁଲିସଙ୍କୁ ଲିଖିତ ଭାବେ ଜଣାଇଥିଲେ। ପୁଲିସଠାରୁ ନ୍ୟାୟ ନମିଳିବା ପରେ ସଂପୃକ୍ତ ଗର୍ଭବତୀ ନାବାଳିକା ଓ ତାଙ୍କ ବାପାଙ୍କୁ ସହାୟତା ଦେବା ନେଇ କିଛି ସାମାଜିକ କର୍ମୀ ସହଯୋଗର ହାତ ବଢାଇଥିଲେ। ନାବାଳିକା ଓ ତାଙ୍କ ବାପାଙ୍କୁ ଧରି ସାମାଜିକ କର୍ମୀମାନେ ଗତ ୧୬ ତାରିଖରେ ଏସ.ପିଙ୍କୁ ଘଟଣା ସଂପର୍କରେ ଅବଗତ କରିବା ସହ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏଇ ସମୟରେ ସଂପୃକ୍ତ ଗର୍ଭବତୀ ନାବାଳିକାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ତୁରନ୍ତ ଭଦ୍ରକ ମେଡିକାଲକୁ ନେଇ ଆସିଥିଲେ। ମେଡିକାଲରେ ପହଞ୍ଚିବା ପରେ ସଂପୃକ୍ତା ନାବାଳିକା ଜଣେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଜଣେ ନାବାଳିକା ମେଡିକାଲରେ ପିଲା ଜନ୍ମ କରିବା ଘଟଣା ପ୍ରଚାରିତ ହୋଇଯିବା ପରେ ତାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସବୁ ବର୍ଗରୁ ସମର୍ଥନ ମିଳିଥିଲେ ମଧ୍ୟ ପୁଲିସ କେ‌ବେଳ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଡାକ୍ତରୀ ମଇନା କରାଯାଇଛି। ଏଇ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସଂପୃକ୍ତ ନାବାଳିକାଙ୍କୁ ପୁଲିସ ଉପଯୁକ୍ତ ନ୍ୟାୟ ପ୍ରଦାନ କରୁ ବୋଲି ସାଧାରଣାର ଦାବି ହୋଇଛି।

ସମ୍ବନ୍ଧିତ ଖବର