ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ, ଜଣେ ଗିରଫ

ଭୁବନେଶ୍ୱର : ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ନୂଆପଲ୍ଲୀ ଥାନା ଅଧୀନ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳର ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ(୨୯)।

ପୁଲିସ ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ପ୍ରସନ୍ନଜିତ୍‌ ଶତପଥୀ ନାମକ ଜଣେ ଯୁବକ ସିନେମା ଦେଖିବା ପାଇଁ ଆଇନକ୍ସ ଯାଇଥିଲେ। ସେ ହଲ୍‌ରେ ଥିବା ସମୟରେ ହଠାତ୍‌ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା। ବ୍ୟକ୍ତି ଜଣକ ତାଙ୍କୁ ଆଇନକ୍ସ ତଳେ ଦେଖା କରିବାକୁ ଡକାଯାଇଥିଲା। ପ୍ରସନ୍ନଜିତ କୌତୂହଳବଶତଃ ଆଇନକ୍ସ ତଳକୁ ଆସିବା ପରେ ହଠାତ୍‌ ୧୫/୨୦ ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ ଏବଂ କିଛି ବୁଝିବା ପୂର୍ବରୁ ତାଙ୍କୁ ଯୁବକମାନେ ଆକ୍ରମଣ କରିଥିଲେ। ପ୍ରସନ୍ନଜିତ ଜୀବନ ବିକଳରେ ନିଜ ବାଇକ୍‌ ଧରି ଘଟଣାସ୍ଥଳରୁ ଖସିପଳାଇଅସିବା ପାଇଁ ଉଦ୍ୟମ କରିଥିଲେ। ତେବେ ଜଣେ ଯୁବକ ତାଙ୍କ ମୁଣ୍ଡକୁ ଏକ ଲୁହା ରଡ୍‌ରେ ଆକ୍ରମଣ କରିବାରୁ ପ୍ରସନ୍ନଜିତ୍‌ ତଳେ ପଡ଼ିଯାଇଥିଲେ। ସେ ତଳେ ପଡ଼ି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରସନ୍ନଜିତଙ୍କୁ ଗୁୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ଆକ୍ରମଣକାରୀ ଯୁବକମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବାରୁ ପୁଲିସ କାହାରିକୁ ଗିରଫ କରିପାରିନଥିଲା।

ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସେଠାରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ଶେଷରେ ପୁଲିସ ଆଜି ଜିତେନ୍ଦ୍ରକୁ ଆଇଆର୍‌ସି ଭିଲେଜରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରିରଖିଛି।

ସମ୍ବନ୍ଧିତ ଖବର