ଅଧିକ ସୁଧ ଲୋଭ ଦେଖାଇ କୋଟିଏ ଟଙ୍କାର ଠକେଇ; ମହିଳା ଗିରଫ

ବ୍ରହ୍ମପୁର: ଅଧିକ ସୁଧରେ ଟଙ୍କା ଦେବାକୁ କହି ୧୬ ଜଣ ଲୋକଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କୁ ଶେଷରେ କଟକରୁ କାବୁ କରିଛି ବ୍ରହ୍ମପୁର ପୁଲିସ। ଅଭିଯୁକ୍ତ ହେଲେ ରମ୍ଭା ଅଂଚଳର ବିଜୟ ଆନନ୍ଦ ମହାପାତ୍ରଙ୍କ ଝିଅ ମଧୁସ୍ମିତା ମହାପାତ୍ର (୨୭)। ପୂର୍ବରୁ ତାଙ୍କ ବିରୋଧରେ ବୈଦ୍ୟନାଥ ପୁର ଥାନାରେ କେସ୍‌ନଂ ୮୭/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଗିରଫ ହେବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।

ଖବର ଅନୁଯାୟୀ ପ୍ରାୟ ୨ବର୍ଷ ତଳେ ମଧୁସ୍ମିତା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଯୋଧ୍ୟାନଗରରେ ଭଡ଼ାରେ ରହି ନିଜକୁ ସେଣ୍ଟ୍ରାଲ ଇଲେକ୍ଟ୍ରିକାଲ ଅଥରିଟିର ମୁଖ୍ୟ ବୋଲି ପରିଚୟ ଦେଇଥିଲେ। ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ୧୬ଜଣ ଲୋକଙ୍କଠାରୁ ଏକ କୋଟି ୧୭ଲକ୍ଷ ଟଙ୍କା ଆଦାୟ କରିବା ପରେ ହଠାତ୍‌ ଫେରାର୍‌ ହୋଇଯାଇଥିଲେ। ଠକାମିର ଶିକାର ହୋଇଥିବା ଜଣେ ବ୍ୟକ୍ତି ତ୍ରିପୁରା ପ୍ରସାଦ ପାଣିଗ୍ରାହୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନଥିଲା। ଶେଷରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ପୁଲିସ କଟକରେ ଚଢ଼ଉ କରି ମଧୁସ୍ମିତାଙ୍କୁ ଆଜି ଗିରଫ କରିଥିଲା। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର