କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଦୁଇ ଗିରଫ

ଭୁବନେଶ୍ୱର: ଧଳାଜହର ମାଫିଆଙ୍କୁ କାବୁ କରିବାରେ ପୁଣି ଥରେ ଏସ୍‌ଟିଏଫ୍‌କୁ ବଡ଼ ସଫଳତା ମିଳିଛି। ଏଥର ୨ ଜଣ ବଡ଼ ବେପାରୀ ଏସ୍‌ଏଟିଏଫ୍‌ ଫାଶରେ ପଡ଼ିଛନ୍ତି। ସେମାନେ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ଛଣଗିରିର ଅଜୟ ମହାପାତ୍ର ଓ ବେଗୁନିଆ ଥାନା ଜାମୁସାହିର ବିଭୂତି ଭୂଷଣ ଜେନା। ଗତକାଲି ରାତିରେ ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରୁ ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧ କେଜି ୧୨ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ତେବେ ଚଢ଼ାଉବେଳେ ଘଟଣାସ୍ଥଳରୁ ମାଷ୍ଟର ମାଇଣ୍ଡ ମଙ୍ଗରାଜ ଚମ୍ପଟ ମାରିବାରେ ସଫଳ ହୋଇଛି। ଫେରାର୍‌ ମଙ୍ଗରାଜକୁ ଧରିବା ପାଇଁ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀରୁ ମେ ମାସ ମଧ୍ୟରେ ଏସ୍‌ଟିଫ୍‌ ୭ କିଲୋଗ୍ରାମ୍‌ ୭୬୮ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର୍‌ ଜବତ କରିଛି। ୧୮ଟି ମାମଲାରେ ମୋଟ୍ ୩୬ ଜଣଙ୍କୁ ବ୍ରାଉନ୍ ସୁଗାର ବେପାର ଅଭିଯୋଗରେ ଗିରଫ କରାଯାଇଛି। ମାତ୍ର ୫ ମାସରେ ଘନଘନ ଚଢ଼ାଉ କରି ଏତେ ପରିମାଣର ବ୍ରାଉନ୍‌ସୁଗାର ଜବତ କରି ଏସ୍‌ଟିଏଫ୍‌ ରେକର୍ଡ କରିଛି। ବଡ଼ କଥା ହେଉଛି ଗତ ୪ ବର୍ଷ ଭିତରେ ଓଡ଼ିଶା ପୁଲିସ କିମ୍ବା ପୁଲିସର ଅନ୍ୟ କୌଣସି ସଂସ୍ଥା ମିଶି ଏତେ ପରିମାଣର ବ୍ରାଉନ୍‌ସୁଗାର୍‌ ଜବତ କରିନାହାନ୍ତି। ତେଣୁ ନିଶା ମାଫିଆ ଧରପଗଡ଼ରେ ଏସ୍‌ଟିଏଫ୍‌ ହସ୍ତକ୍ଷେପ କରିବା ପରେ ରାଜଧାନୀ ଓ ସମଗ୍ର ଖୋର୍ଦ୍ଧା ଅଞ୍ଚଳରେ ନିଶା ବେପାରୀମାନେ ବହୁ ସତର୍କତାର ସହ କାରବାର କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର