ଝାମ୍ପିନେଲେ ଚେନ୍‌: ଗୋଟିଏ ଦିନରେ ୩ ଛିନ୍‌ତାଇ

ଭୁବନେଶ୍ଵର: କମିସନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ଆଜି ଦିନ ଦି’ପହରେ ରାଜଧାନୀର ୩ଟି ଜନଗହଳିପୂର୍ଣ୍ଣ ସ୍ଥାନରୁ ଲୁଟ୍‌ କରିଛନ୍ତି। ମଞ୍ଚେଶ୍ବର ଥାନା ଅଧୀନରେ ଦୁଇଟି ଘଟଣା ଘଟିଥିବା ବେଳେ ଏୟାରଫିଲଡ୍‌ ଥାନା ଅଧୀନରେ ଘଟିଛି ଆଉ ଗୋଟିଏ ଘଟଣା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଶେଷ ଖବର ଲେଖା ହେବା ସୁଦ୍ଧା ଲୁଟେରାଙ୍କ ପତ୍ତା ପାଇ ପାରିନାହିଁ। ସମ୍ପର୍କୀୟଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବାକୁ ଆସିଥିବା ବାଲିକୁଦାର ଜୟନ୍ତୀ ସାହୁ ଆଜି ପଳା‌ଶୁଣୀ ଛକରେ ଥିବା ଗଣ୍ଡେଶ୍ବରୀ ମନ୍ଦିର ସାମ୍ନାରେ ଛିଡ଼ା ହୋଇଥିଲେ। ଏତିକିବେଳେ ଭୁବ‌ନେଶ୍ବରରୁ କଟକ ଆଡ଼କୁ ଏକ ବାଇକ୍‌ରେ ଯାଉଥିବା ଜଣେ ଯୁବକ ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲା। ଜୟନ୍ତୀଙ୍କ ସମ୍ପର୍କୀୟ ହଂସପାଳ ପର୍ଯ୍ୟନ୍ତ ଗୋଡ଼ାଇଥିଲେ ମଧ୍ୟ ଅଭିଯୁକ୍ତ ଦ୍ରୁତ ଗତିରେ ଖସି ପଳାଇଥିଲା। ଦୁଇ ଭରି ଓଜନ ଚେନ୍‌ର ମୂଲ୍ୟ ୬୫ ହଜାର ଟଙ୍କା ହେବ ବୋଲି ସେ ଅଭିଯୋଗ କରିଛନ୍ତି। ସେହିଭଳି ମଞ୍ଚେଶ୍ବର ଥାନାଠାରୁ ୨ ଶହ ମିଟର ଦୂରରେ ଆଉ ଏକ ଅଘଟଣ ଘଟିଛି। ଶିଳ୍ପାଞ୍ଚଳରେ ଥିବା ସାଇ ଏକ୍ସପୋର୍ଟରେ କାମ କରୁଥିବା ବୌଦ୍ଧର ସୌମ୍ୟା ବେହେରା ସନ୍ଧ୍ୟାରେ ଭଡ଼ା ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ। ତାଙ୍କ ବେକରୁ ଚେନ୍‌ ଝାମ୍ପିବା ବେଳେ ସେ ପ୍ରତିରୋଧ କରିବାରୁ ମାଡ଼ ମାରିଥିଲେ। ସେ ତଳେ ପଡ଼ିଯିବା ପରେ ତାଙ୍କ ଚେନ୍‌ ଓ ପର୍ସ ଲୁଟି ନେଇଥିଲେ। ଅନେକ ଲୋକ ଏହାକୁ ଦେଖୁଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାକୁ ସାହସ କରିନଥିଲେ। ତେବେ ଚେନ୍‌ଟି ଇମିଟେସନ୍‌ ହୋଇଥିବା ବେଳେ ପର୍ସରେ ୨ଶହ ଟଙ୍କା ଥିଲା ବୋଲି ସେ କହିଛନ୍ତି। ତେବେ ପଡ଼ିଯିବା ଓ ମାଡ଼ ହେବା ଯୋଗୁଁ ସେ ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ସେହିଭଳି ଏୟାରଫିଲ୍ଡ ଥାନା ଅଧୀନରେ ଅନୁରୂପ ଘଟଣା ଘଟିଛି। ଭୀମଟାଙ୍ଗି ଫେଜ୍‌-୨ରେ ରହୁଥିବା ଜଣେ ମହିଳା ଅପରାହ୍‌ଣ ୨ଟା ବେଳେ ଘରକୁ ଫେରୁଥିବା ବେଳେ ଭୀମକୁଣ୍ଡ ନିକଟରେ ଦୁଇଜଣ ଯୁବକ ଆସି ଏକ ଠିକଣା ପଚାରିଥିଲେ। ମହିଳାଜଣକ ଛିଡ଼ା ହୋଇଯିବା ପରେ ସେମାନେ ଚେନ୍‌ ଝାମ୍ପି ଫେରାର୍‌ ହୋଇଯାଇଥିଲେ। ଏୟାରଫିଲ୍ଡ ଥାନା ପୁଲିସ ଏକ ମ‌ାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତିନୋଟି ଯାକ ମାମଲା‌ରେ ପୁଲିସକୁ ସଫଳତା ମିଳିନାହିଁ। କେବଳ ସିସିଟିଭି ଫୁଟେଜ୍‌ ଖୋଜା ଚାଲିଛି।

ସମ୍ବନ୍ଧିତ ଖବର