ଚନ୍ଦ୍ରଶେଖରପୁର: ସୋସିଆଲ ମିଡିଆରେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଉଥିବା ଜଣେ ଯୁବକକୁ ଇନ୍ଫୋସିଟି ଥାନା ପୁଲିସ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ସେକ୍ ଅମିନ୍(୨୬)। ଘର ଜଗତସିଂହପୁର ଜିଲ୍ଲାରେ। ସେ ବିରିଡି ଅଢ଼ଙ୍ଗଗଡ଼ର ଆକାଶ ନାମକ ଜଣେ ଯୁବକଙ୍କ ମୋବାଇଲ ନମ୍ବର ଓଟିପି ସହାୟତାରେ ଏହି କାରବାର ଚଳାଇ ଆସୁଥିଲା। ଏନେଇ ପୁଲିସ ନମ୍ବର ୪୧୯/୧୯ରେ ଏକ ମାମଲା ରୁଜୁ କରିଛି।
ପୁଲିସ ସୂଚନା ଅନୁଯାୟୀ, ଅମିନ୍ ସୋସିଆଲ ମିଡିଆରେ ବିଭିନ୍ନ ଝିଅଙ୍କ ଫଟୋକୁ ଅଶ୍ଳୀଳ ଏଡିଟିଂ କରି ଭାଇରାଲ୍ କରାଉଥିଲା। ଏପରି କରି ସେ କିଛି ଝଅଙ୍କୁ ଶାରୀରିକ ସଂପର୍କ ରଖିବା ପାଇଁ ବ୍ଲାକମେଲ୍ ମଧ୍ୟ କରୁଥିଲା। ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ପ୍ରଥମେ ମୋବାଇଲ୍ ନମ୍ବର ଟ୍ରାକ୍ କରି ଆକାଶକୁ କାବୁ କରିଥିଲା। ତାକୁ ଜେରା କରିବାରୁ ସେ ଅମିନ୍ ବିଷୟରେ କହିଥିଲା। ତେବେ ଏ ସଂପର୍କରେ ସୂଚନା ପାଇ ଅମିନ୍ ବେଙ୍ଗାଲୁରୁରେ ତା’ର ଜଣେ ସାଙ୍ଗ ଘରେ ଲୁଚି ରହିଥିଲା। ପୁଲିସ୍ କଲ୍ ଟ୍ରାକ୍ କରି ବେଙ୍ଗାଲୁରୁରୁ ତାକୁ ଗିରଫ କରିଥିଲା।