ହରିଆଣାର କୁଖ୍ୟାତ ଡ୍ରଗ୍‌ ମାଫିଆକୁ ଗିରଫ କଲା ପଞ୍ଜାବ ପୁଲିସ୍‌

ଚଣ୍ଡିଗଡ଼: ପଞ୍ଜାବ ପୁଲିସ୍‌ ଶନିବାର ହରିଆଣାରୁ  ଜଣେ କୁଖ୍ୟାତ ଡ୍ରଗ୍‌ ମାଫିଆ ରଣଜିତ ସିଂ ରାଣାକୁ ଗିରଫ କରିଛି। ରଣଜିତକୁ ପୂର୍ବରୁ ୫୩୨ କିଲୋର ହେରୋଇନ୍‌ ଚାଲାଣ ମାମଲାରେ ଖୋଜୁଥିଲା ପୁଲିସ୍ । ରଣଜିତକୁ ଧରିବା ଲାଗି ସହ ପଞ୍ଜାବ ପୁଲିସ୍‌  କରିଥିବା ଅପରେସନ୍‌ରେ ତାର ଭାଇକୁ ମଧ୍ୟ ଗିରଫ କରିଥିବା ସୂଚନା ରହିଛି।

ଡିଜିପି ଦିନକର ଗୁପ୍ତାଙ୍କ କହିବାନୁଯାୟୀ ରଣଜିତଙ୍କୁ ହରିଆଣାର ଶୀର୍ଷାଠାରୁ ଗିରଫ କରାଯାଇଛି। ଶୀର୍ଷାର ବେଗୁ ଗ୍ରାମରୁ ରଣଜିତ ଓ ତା ଭାଇ ଗଙ୍ଗାଦୀପଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଭାଇ ପାକିସ୍ତାନରୁ ହେରୋଇନ୍‌ ଏବଂ ଅନ୍ୟ ନିଶାଦ୍ରବ୍ୟ ଚାଲାଣ କରୁଥିବା ସନ୍ଦେହ କରାଯାଉଛି।

ଗତବର୍ଷ ଅମ୍ରିତ୍‌ସରର ଅଟାରୀଠାରୁ ରଣଜିତଠାରୁ ୨,୭୦୦ କୋଟି ଟଙ୍କାର ହେରୋଇନ୍‌ ଡ୍ରଗ୍‌ ଜବତ ହେବା ପରେ ତା ନାମରେ ନିଶା କାରବାର ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ସେ ନିଶାଦ୍ରବ୍ୟ ଚୋରାଚାଲାଣ ମାମଲାର କିଙ୍ଗ୍‌ପିନ୍‌ ଥିବା ଜାଣିବାକୁ ମିଳିଛି।

ପଞ୍ଜାବ ପୁଲିସ୍‌କୁ ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇଟି ବଡ଼ ଧରଣର ସଫଳତା ମିଳିସାରିଲାଣି। ନିକଟ‌ରେ ପଞ୍ଜାବ ପୁଲିସ୍ ଅମ୍ରିତ୍‌ସରଠାରେ‌ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜ୍ଜାହିଦ୍ଦିନ୍‌ର କିଛି ଆତଙ୍କୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର