ଅନ୍‌ଲାଇନ ବେଟିଂ ଗ୍ୟାଙ୍ଗ ପର୍ଦାଫାସ୍‌, ଗିରଫ ହେଲା କିଙ୍ଗପିନ୍‌ ଶ୍ରୀନୁ

ଗୁଣପୁର: ଅନ୍‌ଲାଇନ୍ ବେଟିଂ ଗ୍ୟାଙ୍ଗର କିଙ୍ଗପିନ୍‌କୁ ଗତକାଲି ରାତିରେ ଗୁଣପୁର ପୁଲିସ ଗିରଫ କରିଛି। ଲକ୍ଷାଧିକ ଟଙ୍କାର କାରବାର କରୁଥିବା ଏହି ଗ୍ୟାଙ୍ଗ ସଂପର୍କରେ ଗତମାସ ପୁଲିସ ସୂଚନା ପାଇଥିଲା। ଏହାପରେ ଆତର୍କିତ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଚକମା ଦେଇ ଖସି ଯାଇଥିଲା ଗ୍ୟାଙ୍ଗର ମୁଖ୍ୟ ଜି. ଶ୍ରୀନୁ। ପ୍ରାୟ ୩ସପ୍ତାହର ଲୁଚକାଳି ଖେଳ ପରେ ଗତକାଲି ଘରେ ଲୁଚି ରହିଥିବା ଶ୍ରୀନୁକୁ ପୁଲିସ ଗିରଫ କରିଛି। ଏହି ଗ୍ୟାଙ୍ଗର ଚେର କେତେ ଦୂର ଲମ୍ବିଛି ତାହାର ଅନୁସନ୍ଧାନ ଜାରି ରହିଥିବା ପୁଲିସ କହିଛି।

କ୍ରିକେଟ ସମେତ ଅନ୍ୟାନ୍ୟ କ୍ରୀଡ଼ାକୁ ନେଇ ଗୁଣପୁର ଅଞ୍ଚଳରେ ଦୀର୍ଘ ଦିନ ହେଲା ଅନ୍‌ଲାଇନ୍ ବେଟିଂ ଚାଲିଥିଲା। ଦୈନିକ ଲକ୍ଷାଧିକ ଟଙ୍କା ବାଜି ଲାଗୁଥିବା ବେଳେ ସ୍ଥାନୀୟ ରାମଚନ୍ଦ୍ରପୁର ସାହିର ଶ୍ରୀନୁ ଏହାକୁ ନିୟନ୍ତ୍ରଣ କରୁଥିଲା। ସବୁ କାରବାର ଅନ୍‌ଲାଇନ୍‌ରେ ହେଉଥିବା ବେଳେ କିଛି ଏଜେଣ୍ଟ ସକ୍ରିୟ ରହିଥିଲେ। ପୁଲିସକୁ କୌଣସି ସୂତ୍ରରୁ ଏହି ବେଟିଂ ନେଇ ସୂଚନା ମିଳିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶ ପରେ ଗତମାସ ୮ତାରିଖ ଦିନ ଗାନ୍ଧୀନଗର ଅଞ୍ଚଳରେ ପୁଲିସ ଚଢ଼ଉ କରିଥିଲା। ସୁଭଦ୍ରାପୁରର ପି. ଈଶ୍ବର ରାଓ (୩୬), ବାଉରୀ ସାହିର ସନ୍ତୋଷ ବାଉରୀ (୩୫), ଜେଲପେଟା ସାହିର ଦାତି ରାଜେଶ (୪୧)ଙ୍କୁ ପୁଲିସ ଗିରଫ କରିଥିଲା। ଏମାନଙ୍କୁ ପଚରାଉଚୁରା ସମୟରେ ପୁଲିସକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା। ଚେର ହାଇଦ୍ରାବାଦ୍ ଏବଂ ରାୟପୁର ପର୍ଯ୍ୟନ୍ତ ଲମ୍ବିଥିଲା। ମହିଳା ଟି-୨୦ ବିଶ୍ବକପ୍, ପାକିସ୍ତାନ ସୁପର ଲିଗ୍ ସହ ଅନ୍ୟାନ୍ୟ ଖେଳରେ ଏମାନେ ବେଟିଂ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ସଂପୂର୍ଣ୍ଣ କାରବାରକୁ ନିୟନ୍ତ୍ରଣ କରୁଥିବା ଜି. ଶ୍ରୀନୁ ସେହି ସମୟରେ ଫେରାର ହୋଇଯାଇଥିଲା। ଏହାପରେ ଶ୍ରୀନୁକୁ ପୁଲିସ ଟ୍ରାକ୍ କରିବା ଆରମ୍ଭ କରି ଶେଷରେ ଗତକାଲି ରାତିରେ ସେ ନିଜ ଘରେ ଥିବା ସୂଚନା ପାଇଥିଲା। ଗୋଟିଏ ଟିମ୍ ଚଢ଼ଉ କରି ଗିରଫ କରି ଥାନାକୁ ଆଣିଥିଲା। ଏହି ବ୍ୟାଙ୍ଗ ଗୋଟିଏ ଆପ୍ ୧୦ହଜାର ଟଙ୍କା ଦେଇ କିଣିବା ପରେ ଏଥିରେ ସବୁ ପ୍ରକାର ବେଟିଂ କରୁଥିଲା। ମ୍ୟାଚ୍‌ କିଏ ଜିତିବ, କେତେ ବଲରେ କେତେ ରନ୍‌ ହେବ, ଟସ୍ କିଏ ଜିତିବ ଭଳି ଅନେକ ପ୍ରକାର ବିକଳ୍ପ ଏବଂ ଦର ଏହି ଆପ୍‌ରେ ରହିଛି।

ସମ୍ବନ୍ଧିତ ଖବର