ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ୭୧ ବର୍ଷୀୟ ବ୍ୟବସାୟୀଙ୍କ ଆକାଉଣ୍ଟ୍ରୁ କଟିଗଲା ୪୧ ଲକ୍ଷ ଟଙ୍କା
ମୁମ୍ବାଇ: ଅନ୍ଲାଇନ୍ ଠକାମୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନେକ ଲୋକ ଅନ୍ଲାଇନ୍ ଠକାମୀର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ନିକଟରେ ମୁମ୍ବାଇର ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ଠକାମୀର ଶିକାର ହୋଇ ୪୧ ଲକ୍ଷ ଟଙ୍କା ହରାଇଥିବା ଖବର ହସ୍ତଗତ ହୋଇଛି।
ପୀଡ଼ିତ ବ୍ୟକ୍ତିଙ୍କ ଘର ହିରାନ୍ଦାନୀ ଇଷ୍ଟେଟ୍। ସେ ଜଣେ ଲବ୍ରୋଟେରୀ ଟେଷ୍ଟିଂ ବ୍ୟବସାୟୀ। ତାଙ୍କ ଅଭିଯୋଗ ଅନୁସାରେ ସେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ବାହାରିବା ପରେ ଚିକିତ୍ସା ପାଇଁ ଏକ ପ୍ରାଇଭେଟ୍ ହସ୍ପିଟାଲ୍ରେ ଭର୍ତ୍ତି ହେବା ସମୟରେ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍ରୁ ୪୧ ଲକ୍ଷ ଟଙ୍କା କଟି ଯାଇଛି। ସେହି ଆକାଉଣ୍ଟ୍ରେ ସମୁଦାୟ ୫୦ ଲକ୍ଷ ଟଙ୍କା ରହିଥିବା ବେଳେ ଏବେ ଆଉ ମାତ୍ର ୯ ଲକ୍ଷ ଟଙ୍କା ଅଛି।
ତାଙ୍କ କହିବା କଥା ହେଲା ସେ ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ତାଙ୍କ କର୍ମଚାରୀମାନେ ତାଙ୍କ ଅନୁପସ୍ଥିତରେ ଲ୍ୟାବ୍ ଦାୟିତ୍ବ ତୁଲାଉଥିଲେ। ତାଙ୍କ ନେଟ୍ ବ୍ୟାଙ୍କିଂ ଯେଉଁ ଫୋନ୍ ନମ୍ବର ସହ ସଂଯୋଗ ହୋଇଥିବା ତାହା ଜରିଆରେ ଟଙ୍କା ହେରଫେର ହୋଇଛି ବୋଲି ସେ ସନ୍ଦେହ କରୁଛନ୍ତି।
ପୀଡ଼ିତ ଜୁନ୍ ୧୭ରୁ ୨୯ ତାରିଖ ମଧ୍ୟରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେ ଅନ୍ଲାଇନ୍ ଠକାମୀର ଶିକାର ହେବା କଥା ଜୁନ୍ ୩୦ରେ ପୁଲିସ୍ରେ ଅଭିଯୋଗ ଆଣିଥିଲେ।