ଗର୍ଭବତୀ ପତ୍ନୀଙ୍କୁ ଚିକିତ୍ସା ପାଇଁ ନେଉଥିବା ବେଳେ ଦିବ୍ୟାଙ୍ଗଙ୍କୁ ନିସ୍ତୁକ ପିଟିଲେ କନେଷ୍ଟବଳ

ଲକ୍ଷ୍ନୗ: ଯୋଗୀ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ବି ୟୁପିରେ ପୁଲିସର କାମ ପ୍ରଶାସନ ପାଇଁ ଲଜ୍ଜାର କାରଣ ପାଲଟିଛି। ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ପୁଲିସ ଦୁର୍ବ୍ୟବହାର କରିଥିବାର ଏକ ତାଜା ଘଟଣା କନ୍ନୈଜ ଜିଲ୍ଲାରୁ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ପୁଲିସ କର୍ମଚାରୀ ନିଜର ଗର୍ଭବତୀ ପତ୍ନୀଙ୍କୁ ଇ-ରିକ୍ସାରେ ହସ୍ପିଟାଲ ନେଇଯାଉଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପୁଲିସ ଷ୍ଟେସନ ଆଣି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।

 

ସୂଚନାନୁସାରେ, କନ୍ନୈଜ ଜିଲ୍ଲାର ସୌରିଖ ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସୁଦୀପଙ୍କ ଗୋଟିଏ ଗୋଡ଼ ଅଚଳ ଥିବାରୁ ସେ ଇ-ରିକ୍ସା ଚଳାଇ ନିଜ ପରିବାର ପ୍ରତିପୋଷଣ କରିଥାଆନ୍ତି। ସୁଦୀପଙ୍କ ପତ୍ନୀ ଗର୍ଭବତୀ ଥିଲେ। ତେଣୁ ସେ ଗତ ଶୁକ୍ରବାର ଦିନ ତାଙ୍କ ପତ୍ନୀଙ୍କୁ ଇ-ରିକ୍ସା ନେଇ ଡାକ୍ତରଖାନା ଚିକିତ୍ସା ପାଇଁ ଯାଉଥିଲେ। ସାଦର ବଜାରରେ ପହଞ୍ଚିବା ପରେ ସେ କିଛି କିଣିବା ପାଇଁ ନିଜର ଇ-ରିକ୍ସାକୁ ରାସ୍ତା ପାର୍ଶ୍ବରେ ରଖି ଦେଇଥିଲେ। ତେବେ ‌ସେଠାରେ ଡ୍ୟୁଟିରେ ଥିବା କନେଷ୍ଟବଳ ଦିବ୍ୟାଙ୍ଗଙ୍କୁ  ଇ-ରିକ୍ସା ହଟାଇବାକୁ କହି ଦୁର୍ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ।

ଯେତେବେଳେ ଦିବ୍ୟାଙ୍ଗ ସୁଦୀପ ଏହାକୁ ବିରୋଧ କରିଥିଲେ କନଷ୍ଟେବଳ ଏଥିରେ ଉତକ୍ଷିପ୍ତ ହୋଇ ଦିବ୍ୟାଙ୍ଗଙ୍କୁ ଗୋଇଠା ମାଡ଼ ମାରିଥିଲେ। ସ୍ବାମୀଙ୍କୁ ମାଡ଼ ଖାଉଥିବା ଦେଖି ପତ୍ନୀ କନେଷ୍ଟବଳଙ୍କୁ ହାତ ଯୋଡ଼ି ଛାଡ଼ି ଦେବାକୁ ଗୁହାରି କରିଥିଲେ। କିନ୍ତୁ କନେଷ୍ଟବଳ ଜଣକ କୌଣସି କଥା ନଶୁଣି ଦିବ୍ୟାଙ୍ଗଙ୍କୁ ପୁଲିସ ଷ୍ଟେସନ ପର୍ଯ୍ୟନ୍ତ ନେଇ ଯାଇଥି‌ଲେ। ଏହା ପରେ ସେଠାରେ ସେ ଦିବ୍ୟାଙ୍ଗଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ।

ଆଶ୍ଚର୍ଯ୍ୟର କଥା, ସେହି ସମୟରେ ଷ୍ଟେସନ ଦାୟିତ୍ୱରେ ଥିବା ବିଜୟ ଧର୍ମା, ଇନ୍ସପେକ୍ଟର ଏବଂ ଅନ୍ୟ ପୁଲିସ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ। ମାଡ ମାରିବା କାରଣରୁ ଆହତ ଦିବ୍ୟାଙ୍ଗଙ୍କ ପାଟିରୁ ରକ୍ତ ବାହାରିବା ଆରମ୍ଭ କରିଥିଲା। ଏହି ସମୟରେ କେହି ଜଣେ ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଦେଇଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା‌ରେ ସଂପୃକ୍ତ କନେଷ୍ଟବଳଙ୍କୁ ନିଲମ୍ବନ କରି ଦିଆଯାଇଛି।

ସମ୍ବନ୍ଧିତ ଖବର