ମସାଜ ସେଣ୍ଟର୍‌ ମାଲିକ ସମେତ ୪ ଗିରଫ

ଆଇଆର୍‌ସି ଭିଲେଜ୍‌ରୁ ସେକ୍ସ ର‍୍ୟାକେଟ୍‌ ଠାବ ଘଟଣା

ଭୁବନେଶ୍ୱର: ଆଇଆର୍‌ସି ଭିଲେଜ ସ୍ଥିତ ଏକ ମସାଜ୍‌ ସେଣ୍ଟର୍‌ରୁ ସେକ୍ସ ର‍୍ୟାକେଟ୍‌ ଠାବ ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ ସେଣ୍ଟର୍‌ର ମାଲିକ ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାଲିକ ଲିଟୁ ସେନାପତି, ସହଯୋଗୀ ଜଗଦୀଶ ଚନ୍ଦ୍ର ଜେନା, ସୁଶାନ୍ତି ସାମଲ ଓ ଜଣେ ଗ୍ରାହକ ଦେବାଶିଷ ସ୍ୱାଇଁ। ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ଦୀର୍ଘ ଦିନ ହେବ ଲିଟୁ ମସାଜ ସେଣ୍ଟର୍‌ କରି ସେଠାରେ ସେକ୍ସ ର‍୍ୟାକେଟ୍‌ ଚାଳାଇଥିଲା। ତେବେ କିଛିଦିନ ତଳେ ପୁଲିସ ଏ ସଂପର୍କରେ ଜାଣିବାକୁ ପାଇଥିଲା। ଗୁରୁବାର ଅପରାହ୍ଣରେ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ଅଚାନକ ଚଢ଼ଉ କରିବା ପରେ ଘଟଣା ପଦାକୁ ଆସିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ଗତକାଲି ସେଠାରୁ ଲିଟୁ, ଜଗଦୀଶ, ସୁଶାନ୍ତି ଓ ଦେବାଶିଷକୁ ଗିରଫ କରି ଥାନାରେ ଅଟକ ରଖିଥିଲା। ସେମାନଙ୍କୁ ପୁଲିସ ପଚରାଉଚରା କରୁଥିଲା। ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି? କେଉଁମାନେ ଏଠାକୁ ଆସୁଥିଲେ ସେନେଇ ପଚରାଉଚରା ଚାଲିଥିଲା। ଏହାଛଡ଼ା ପୁଲିସ ଘଟଣାର ଅଧିକ ତଦନ୍ତ ପାଇଁ ମସାଜ୍‌ସେଣ୍ଟର୍‌ର ରେଜିଷ୍ଟର ଜବତ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର