ହାଇଦ୍ରାବାଦ: ନିଶା ଦ୍ରବ୍ୟ ମିଶ୍ରିତ ମିଠାପାନ ଦେଇ ଜଣେ ଇଞ୍ଜିନିୟର୍ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ଦିନ ହାଇଦ୍ରାବାଦର ପାନ ଦୋକାନ ଚେନ୍ର ଜଣେ ମାଲିକଙ୍କୁ ଗିରଫ କରାଯାଇଛି।
ଯୁବତୀ ଜଣକ କାଚିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପାନ ଦୋକାନ ମାଲିକ ୩୩ ବର୍ଷିୟ ଉପେନ୍ଦ୍ର ବର୍ମାଙ୍କୁ ଗିରଫ କରାଯାଇଛି।
ଇଂଜିନିୟର ଯୁବତୀଙ୍କୁ ଫାସାଇବାରେ ତାଙ୍କୁ ସହାୟତା କରିଥିବା ଅନ୍ୟ ତିନି ଜଣ ଏବଂ କେତେକ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି।
ଯୁବତୀ ଜଣକ ଅଭିଯୋଗ କରିଛନ୍ତି କି, ଅଭିଯୁକ୍ତ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଠକି ଦେଲେ।
ସହରରେ ଦାମିକା ପାନ ଦୋକାନ ଚଳାଉ ଥିବା ଉପେନ୍ଦ୍ର ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବା ପରେ ସେଗୁଡ଼ିକୁ ୟୁଟ୍ୟୁବ୍ରେ ପୋଷ୍ଟ୍ କରିବେ କହି ବ୍ଲାକ୍ମେଲ୍ କରିଛନ୍ତି।
ସେ ପୁଲିସକୁ କହିଛନ୍ତି କି, ୪ ବର୍ଷ ତଳେ ଫେସ୍ବୁକ୍ ଜରିଆରେ ସେମାନେ ବନ୍ଧୁ ହୋଇଥିଲେ ଏବଂ ପରେ ବନ୍ଧୁତ୍ୱ ସ୍ନେହ ସମ୍ପର୍କ ପାଲଟି ଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ ଦିନେ ରାତିରେ ନିଶାଦ୍ରବ୍ୟ ମିଶ୍ରିତ ପାନ ଖିଲେ ଦେଇ ଉପନ୍ଦ୍ରେ ତାଙ୍କ ସହ ଦୈହିକ ସମ୍ପର୍କ ରଖିଥିଲେ।
ଇଂଜିନିୟର୍ ଯୁବତୀ ଜଣକ ଆହୁରି କହିଛନ୍ତି ଯେ ସେ ବିବାହ କରିବାକୁ ପ୍ରସ୍ତାବ ଦେବାରୁ, ଉପେନ୍ଦ୍ର ମନା କରିଦେବା ସହ ଧମକ ଦେଇ କହିଲେ କି, ତା’ ଫଟୋ ଓ ଭିଡିଓ ସବୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଦେବେ।
ଉପେନ୍ଦ୍ର ଏବଂ ତାଙ୍କର ବନ୍ଧୁମାନେ ଅନ୍ୟ କୌଣସି ଯୁବତୀଙ୍କୁ ଫସାଇ ଶୋଷଣ କରିଛନ୍ତି କି, ନାହିଁ ପୁଲିସ ତା’ର ତଦନ୍ତକରୁଛି।