ଲାହୋର୍: ୩ ମାସ ହେବ ଦୁଷ୍କର୍ମ କରିଆସୁଥିବା ଅଭିଯୋଗ କରି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୪ ବର୍ଷୀୟ ବାଳିକା ତା’ର ବାପାଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି।
ଲାହୋର ନଗରୀର ଗୁଜ୍ଜରପୁରା ଅଞ୍ଚଳରେ ଘଟିଥିବା ଏହି ଘଟଣା ସଂକ୍ରାନ୍ତରେ ପୁଲିସକୁ ଦେଇଥିବା ବୟାନରେ ବାଳିକାଟି କହିଛି ଯେ, ଗତ ୩ ମାସ ହେବ ବାପା ତା’ ସହିତ ଦୁଷ୍କର୍ମ କରି ଆସୁଥିଲେ।
ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ସୋହେଲ୍ କାଜ୍ମି କହିଛନ୍ତି, ତା’ର ଜୀବନ ଦୁର୍ବିଷହ ହୋଇଯିବାରୁ ସେ ଦୁଷ୍କର୍ମକାରୀ ବାପାଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲା। ତେଣୁ, ବାପାଙ୍କ ବନ୍ଧୁକରେ ହିଁ ବାପାଙ୍କୁ ହତ୍ୟା କଲା।
ସେ ଆହୁରି ମଧ୍ୟ କହିଛନ୍ତି, ବୃତ୍ତିରେ ଝିଅର ବାପା ବିଲାଲ୍ ଖାଁ ଥିଲେ ଜଣେ ଦରଜୀ। ଶନିବାର ସକାଳ ପ୍ରାୟ ୬ଟା ବେଳେ ବିଲାଲ୍ ଘରେ ଶୋଇଥିବା ବେଳେ ଝିଅ ଯାଇ ତାଙ୍କ ମୁଣ୍ଡରେ ଗୁଳି ମାରିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା। ସବୁ ଦୃଷ୍ଟିକୋଣରୁ ତଦନ୍ତ କରାଯାଇ ସନ୍ଦିଗ୍ଧଙ୍କ ନାଁରେ ମାମଲା ରୁଜୁ କରାଯିବ।
ପାକିସ୍ତାନର ‘ଏକ୍ସପ୍ରେସ୍ ଟ୍ରିବ୍ୟୁନ୍’ ରିପୋର୍ଟ କରିଛି ଯେ, ପୁଲିସରେ ନ ଜଣାଇ ମାମଲା ଚପାଇ ଦେବାକୁ ପରିବାର ଲୋକେ ଉଦ୍ୟମ କରିଥିଲେ। କିନ୍ତୁ, ଅପରାହ୍ଣରେ ସେମାନଙ୍କର ଜଣେ ପଡ଼ୋଶୀଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହିଞ୍ଚି ସନ୍ଦିଗ୍ଧ, ତା’ର ମାଆ, ଭାଇ ଓ ଜଣେ ପଡ଼ୋଶୀଙ୍କୁ ଗିରଫ କରିଛି।