ପଞ୍ଚୁପାଳ ହତ୍ୟାକାଣ୍ତ: ୪ ଦିନ ପରେ ଚିହ୍ନଟ ହେଲା ଶବ

ଚିହ୍ନଟ କଲେ ପତ୍ନୀ, ଖିଅ ଖୋଜୁଛି ପୁଲିସ

ବାରଙ୍ଗ: ବାରଙ୍ଗ ଥାନା ଅଧୀନ ପଞ୍ଚୁପାଳ ଗ୍ରାମ ତାରେଣୀଗଡ଼ାରୁ ବୁଧବାର ଜବତ ହୋଇଥିବା ଶବର ପରିଚୟ ମିଳିଛି। ମୃତକ ହେଲେ, ଦାରୁଠେଙ୍ଗ ପଞ୍ଚାୟତ ଚୂଡ଼ଙ୍ଗ ବସ୍ତିର ମଣ୍ଟୁ ମଣ୍ଡଳ(୩୪)। ଯାଜପୁରରେ ୨ ଝିଅଙ୍କ ସହ ରହୁଥିବା ପତ୍ନୀ ହର୍ଷ ମଣ୍ଡଳ ଆଜି ବାରଙ୍ଗ ଥାନାରେ ପହଞ୍ଚି ମଣ୍ଟୁକୁ ଚିହ୍ନଟ କରିଛନ୍ତି। କଟକ ବଡ଼ ଡାକ୍ତରଖାନାର ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ଶବକୁ ପୁର୍ନବାର ଚିହ୍ନଟ କରାଇବା ପରେ ପୁଲିସ ହର୍ଷଙ୍କୁ ମଣ୍ଟୁଙ୍କ ଶବ ହସ୍ତାନ୍ତର କରିଛି। ଫଳରେ ଚାରି ଦିନ ହେଲା କସରତ କରୁଥିବା ବାରଙ୍ଗ ଥାନା ପୁଲିସକୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କିନ୍ତୁ ଏବେ ବି ହତ୍ୟାକାରୀ ନିକଟରେ ପୁଲିସ ପହଞ୍ଚି ପାରିନାହିଁ। ଏବେ ବି ହତ୍ୟାକାଣ୍ଡର ଖିଅ ଖୋଜୁଛି ପୁଲିସ୍‌। ତେବେ ଖୁବ୍‌ଶୀଘ୍ର ହତ୍ୟାକାଣ୍ଡ ଉପରୁ ପରଦା ହଟିବ ବୋଲି ପୁଲିସ ଆଶାବାଦୀ ରହିଛି।

ହର୍ଷଙ୍କ କହିବା ଅନୁଯାୟୀ, ମଣ୍ଟୁ ଚୂଡ଼ଙ୍ଗ ବସ୍ତିରେ ରହୁଥିବା ବେଳେ ସେ ତାଙ୍କର ୨ ଝିଅଙ୍କ ସହ ଯାଜପୁରରେ ରହନ୍ତି। ମଝିରେ ମଝି‌ରେ ସେ ମଣ୍ଟୁଙ୍କ ପାଖକୁ ଆସନ୍ତି। କିଛି ମାସ ହେବ ମଣ୍ଟୁ ବାରଙ୍ଗ ନୂଆ ରାସ୍ତାରେ ଥିବା ଜଣେ ମଦ ଦୋକାନୀ ମାଲିକଙ୍କର ସୀତାରାମ ବଜାରସ୍ଥିତ କାଠଗୋଲାରେ କାମ କରୁଥିଲେ। ପୂର୍ବରୁ ସେ ମଦ ଦେକାନରେ ବି କାମ କରୁଥିଲେ। ମଣ୍ଟୁଙ୍କ ପାଖ‌ରେ ଫୋନ୍‌ ନଥିବାରୁ କାଠଗୋଲାରେ କାର୍ଯ୍ୟରତ ଅନ୍ୟ ଜଣେ କର୍ମଚାରୀଙ୍କ ଫୋନ୍‌ରେ ହର୍ଷ ତାଙ୍କ ସହ କଥାବାର୍ତ୍ତା କରନ୍ତି। ଗତ ମଙ୍ଗଳବାର ଦୁହେଁ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। କିନ୍ତୁ ଏହା ପରଠାରୁ ମଣ୍ଟୁ କେଉଁଆଡ଼େ ଉଭାନ୍‌ ହୋଇଯାଇଥିଲେ। କିଛି ଖବର ଅନ୍ତର ନ ପାଇବାରୁ ହର୍ଷ ଚୂଡ଼ଙ୍ଗରେ ଥିବା ମଣ୍ଟୁଙ୍କ ଭାଇମାନଙ୍କ ଘରକୁ ଆସି ପଚାରିଥିଲେ। ସେଠାରୁ ନିରାଶ ହେବା ପରେ ହର୍ଷ ଆନନ୍ଦବଜାରସ୍ଥିତ ବାରଙ୍ଗ ପ୍ରେସ୍‌ କ୍ଲବ ପାଖରେ ଲୋକମାନଙ୍କୁ ପଚରାଉଚରା କରିଥିଲେ। ତାଙ୍କ ସ୍ବାମୀଙ୍କୁ ଗତ ବୁଧବାର ହତ୍ୟା କରାଯାଇଥିବା ସେଠାରୁ ଜାଣିବାକୁ ପାଇବା ପରେ ହର୍ଷ ବାରଙ୍ଗ ଥାନା ଯାଇ ଅଭିଯୋଗ କରିଥିଲେ। ହର୍ଷଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମଣ୍ଟୁ କାମ କରୁଥିବା କାଠଗୋଲାର ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରି ପୁଲିସ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର