ସରକାରୀ ଜମି ବିକି ୩ ଲକ୍ଷ ଚଳୁ, ପାରା ମେଡିକାଲ କର୍ମଚାରୀ ଗିରଫ

ଖଣ୍ଡଗିରି : ସରକାରୀ ଜମି ବିକି ବସ୍ତି ବାସିନ୍ଦାଙ୍କଠାରୁ ୩ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ଜଣେ ପାରା-ମେଡିକାଲ କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଶ୍ୟାମପୁର ପଣ୍ଡାକୁଦିଆ ବସ୍ତିରେ ରହୁଥିବା ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା କଣିଆ ଗାଁର ଶରଦା ପ୍ରସ‌ାଦ ମହାନ୍ତି(୪୨)। ଶାରଦା କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜରେ ଜଣେ ପାରା ମେଡିକାଲ କର୍ମଚାରୀ ବୋଲି ଜଣାପଡ଼ିଛି।

ପୁଲିସ ସୂଚନାନୁସାରେ, ଅଭିଯୁକ୍ତ ଶାରଦା ସ୍ଥାନୀୟ ଶ୍ୟାମପୁର ଗାଁର କିଛି ଲୋକଙ୍କଠାରୁ ପଣ୍ଡାକୁଦିଆ ବସ୍ତି ଅଞ୍ଚଳରେ ସରକାରୀ ଜମି କିଣି ନିଜେ ଘର କରିଥିଲେ ଓ ସେଥିରୁ କିଛି ଅଂଶ ପ୍ଲଟିଂ କରି ଅନ୍ୟମାନଙ୍କୁ ବିକିଥିଲେ। ପ୍ଲଟ୍‌ କିଣିଥିବା ଜଗତସିଂହପୁର ଏରସମାର ହୀରାବତି ଦାସ ଓ କେନ୍ଦ୍ରାପଡ଼ା ରାଜନଗରର ସୁଜାତା ଦାସଙ୍କ ଅଭିଯୋଗ ଅନୁସାରେ, ଶାରଦା ନିଜ ଜମି ବୋଲି କହି ଅଗ୍ରୀମ ଆକାରରେ ସେମାନଙ୍କଠାରୁ ୨.୭୦ଲକ୍ଷ ଟଙ୍କା ନେଇଥିଲେ। ପ୍ଲଟ୍‌ର ପଟ୍ଟା କରାଇବା ପରେ ଅବଶିଷ୍ଟ ଟଙ୍କା ‌ନେବେ ବୋଲି ସେ କହିଥିଲେ। ଅଗ୍ରୀମ ଆକାରରେ ଟଙ୍କା ଗଣି ଦେବା ପରେ ଶାରଦାଙ୍କ ଅନୁମତି‌ରେ ସେମାନେ ଉକ୍ତ ପ୍ଲଟ୍‌ରେ ଘର କରି ରହିଥିଲେ। ମାତ୍ର ଡିସେମ୍ବର ୧୭ ତାରିଖରେ ଉକ୍ତ ବସ୍ତି ଉଚ୍ଛେଦ ସମୟରେ ବିଏମ୍‌ସି ଏହି ଘରଗୁଡ଼ିକୁ ଭାଙ୍ଗି ଦେଇଥିଲା। ତେଣୁ ସୁଜାତା ଓ ହୀରାବତି ଟଙ୍କା ଫେରସ୍ତ ପାଇଁ ଶାରଦାଙ୍କୁ କହିଥିଲେ। କିନ୍ତୁ ହାଇ‌କୋର୍ଟରେ ମାମଲା ଚାଲିଛି ବୋଲି କହି ଶାରଦା ପୁଣି ସେମାନଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ଗଣି ନେଇଥିଲେ। ମାତ୍ର ଏହା ସବୁ ମିଛ ବୋଲି ଜାଣିବା ପରେ ସୁଜାତା ଓ ହୀରାବତି ଗତ ୮ ତାରିଖ‌‌ରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର