ଟ୍ରେନ ଯାତ୍ରୀଙ୍କ ଠାରୁ ଫୋନ୍‌ ଲୁଟି ନେଲା ଚୋର; ଧରା ପଡ଼ିଯିବାରୁ ଟ୍ରେନ୍‌ ଝରକାରେ ଝୁଲି ଝୁଲି ଗଲା ୧୦କିମି

ପାଟନା: ବିହାରର ବେଗୁସରାଇର ସହରର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ୍ ବାହାରେ ଥିବା ଝରକା ଉପରେ ଝୁଲୁଥିବା ଦେଖିବାକୁ ମିଳିଛି । ସେ ହାତ ନ ଛାଡିବାକୁ ବସିଥିବା ଲୋକଙ୍କୁ ନିବେଦନ କରୁଛନ୍ତି। ଟ୍ରେନରେ ଝୁଲୁଥିବା ବ୍ୟକ୍ତି ସ୍ଥାନୀୟ ଭାଷାରେ କହୁଛନ୍ତି ଯେ ମୋତେ ଛାଡନ୍ତୁ ନାହିଁ ନଚେତ୍ ମୁଁ ମରିଯିବି।

ଏହି ଘଟଣାଟି ସୋନପୁର-କାଟିହାର ରେଳ ବିଭାଗର ସାହେବପୁର କମଲ ଷ୍ଟେସନର ଅଟେ । ଏଠାରେ ସତ୍ୟମ କୁମାର ନାମକ ଜଣେ ରେଳ ଯାତ୍ରୀଙ୍କ ମୋବାଇଲ ଚୋରି କରିବା ପରେ ଦୁଇ ଚୋର ପଳାଇ ଯାଉଥିଲେ। ଜଣେ ଚୋର ଖସିଯିବାରେ ସଫଳ ହୋଇଥିଲା। ତେବେ ଦ୍ୱିତୀୟ ଚୋରକୁ ଟ୍ରେନର ଝରକା ଦେଇ ଯାତ୍ରୀମାନେ ଧରି ପକାଇଥିଲେ। ଏହି ସମୟରେ ଟ୍ରେନ୍ ଚାଲିବା ଆରମ୍ଭ କରିଦେଇଥିଲା । ଚଳନ୍ତା ଟ୍ରେନରୁ ମୋବାଇଲ ଚୋରି କରିଥିବା ବ୍ୟକ୍ତି ଅନେକ କିଲୋମିଟର ଯାଏ ଝରକା ପାଖରେ ଝୁଲି ରହିଥିଲା।

ଭିଡିଓରେ ଟ୍ରେନରେ ଝୁଲୁଥିବା ବ୍ୟକ୍ତି ସ୍ଥାନୀୟ ଭାଷାରେ କହୁଛନ୍ତି, ‘ଭାଇ ହାତ ଛାଡ ନାହିଁ, ହାତ ଭାଙ୍ଗିଯିବ। ମୋତେ ଛାଡନ୍ତୁ ନାହିଁ ନଚେତ୍ ମୁଁ ମରିଯିବି। ‘ ଏଥିସହିତ ତାଙ୍କୁ ଧରିଥିବା ଲୋକମାନେ ଭିଡିଓରେ କହୁଛନ୍ତି ଯେ ସେମାନେ ତାଙ୍କୁ ଏହିପରି ଧରି ଖାଗଡ଼ିଆ ଯାଏଁ ନେଇକି ଯିବେ। ଏହି ଭିଡିଓଟି ୧୩ ସେକେଣ୍ଡର ଅଟେ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ମୋବାଇଲ ଚୋରି ହୋଇଥିବା ଯୁବକ କହିଛନ୍ତି, ‘ମୁଁ ବେଗୁସରାଇରୁ ଟ୍ରେନରେ ଆସୁଥିଲି ଏବଂ ଝରକା ପାଖରେ ବସି କଥାବାର୍ତ୍ତା କରୁଥିଲି। ଏହି ସମୟରେ ଚୋର ମୋ ମୋବାଇଲ୍ ଛଡ଼ାଇ ନେଇଯାଇଥିଲେ । ଚୋରର ଦ୍ୱିତୀୟ ସାଥୀକୁ ଅନ୍ୟ ଯାତ୍ରୀମାନେ ଧରିଥିଲେ। ଧରାଯାଇଥିବା ଚୋରକୁ ଜିଆରପି ପୁଲିସ ଷ୍ଟେସନରେ ହସ୍ତାନ୍ତର କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଜେଲକୁ ପଠାଇଛି।

ସମ୍ବନ୍ଧିତ ଖବର