ନୂଆଦିଲ୍ଲୀ: ଇଟାଲୀର ଜଣେ ନାମୀ ଗାଇନାକୋଲଜିଷ୍ଟ ଶାରୀରିକ ସମ୍ପର୍କ ଦ୍ବାରା କର୍କଟ ରୋଗ ଠିକ କରିବାକୁ ଦାବି କରିଥିଲେ। ଏହାପରେ ଜଣେ ମହିଳା ରୋଗୀଙ୍କୁ ନେଇ ସେ ଏକ ହୋଟେଲକୁ ଯାଇଥିଲେ। କିନ୍ତୁ ସେଠାରେ ସେ ସିଧାସଳଖ ଧରାପଡ଼ି ଯାଇଥିଲେ। ସିଧାସଳଖ ଧରାପଡ଼ିବା ପରେ ଡାକ୍ତର ଚାକିରିରୁ ଇସ୍ତଫା ଦେଇ ଦେଇଛନ୍ତି। ଡାକ୍ତରଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଯାଇଛି।
ଡାକ୍ତରଙ୍କ ଏଭଳି କାଣ୍ଡ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ୩୩ବର୍ଷୀୟ ମହିଳା ରୋଗୀଙ୍କୁ ଏକ ନ୍ୟୁଜ ଚାନେଲ ସମ୍ପର୍କ କରିଥିଲା। ମହିଳା ଜଣକ କହିଥିଲେ, ଡାକ୍ତର ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ରୋଗକୁ ଠିକ କରିବା ପାଇଁ ଦାବି କରିଥିଲେ।
ତେଣୁ ଡାକ୍ତରଙ୍କୁ ଧରିବା ପାଇଁ ଚାନେଲ ପକ୍ଷରୁ ଷ୍ଟିଂ ଅପରେସନ କରାଯାଇଥିଲା। ଚାନେଲ ଜଣେ ଅଭିନେତ୍ରୀଙ୍କୁ ପ୍ରଶିକ୍ଷଣ ଦେଇ ଡାକ୍ତରଙ୍କ ପାଖକୁ ଯିବାକୁ କହିଥିଲା।
୬୦ବର୍ଷୀୟ ଡାକ୍ତରଙ୍କ ନାମ ଜିୟୋଭାଯନି ମିନିଏଲୋ ବୋଲି ଜଣାପଡ଼ିଛି। ଅଭିନେତ୍ରୀ ଜଣକ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଆଉ ନିଜର ପରୀକ୍ଷା କରାଇଥିଲେ। ଏହି ସମୟରେ ଡାକ୍ତର ଅଭିନେତ୍ରୀଙ୍କ ଶରୀରରେ ଏଚପିଭି ଚିହ୍ନଟ ହୋଇଛି ବୋଲି କହିଥିଲେ। ଯାହାକି ଆଗକୁ ଯାଇ କର୍କଟ ହୋଇପାରେ ବୋଲି କହିଥିଲେ। ଅଭିନେତ୍ରୀ ଜଣକ ଉକ୍ତ ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ। ଡାକ୍ତର କହିଥିଲେ ଯଦି ତାଙ୍କ ସହିତ ସେ ଶାରୀରିକ ସମ୍ପର୍କ ରଖିବେ ତେବେ ଏହି ରୋଗ ଦୂର ହୋଇପାରିବ। ଏହାପରେ ଡାକ୍ତର କଥାରେ ଅଭିନେତ୍ରୀ ରାଜି ହୋଇ ସେ ଯେଉଁ କୋଠରୀକୁ ଡାକିଥିଲେ ସେଠାକୁ ଯାଇଥିଲେ। ଡାକ୍ତର ଜଣକ ଯେମିତି ହିଁ କୋଠରୀ ଭିତରେ ପୋଷାକ ଖୋଲିଥିଲେ ପୂର୍ବରୁ ଜଗି ରହିଥିବା ସାମ୍ବାଦିକମାନେ କ୍ୟାମେରା ସହ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ସିଧାସଳଖ କାବୁ କରି ନେଇଥିଲେ।
ଅଭିଯୋଗ କରିଥିବା ମହିଳା ଜଣକ କହିଛନ୍ତି, ସେ ଗର୍ଭବତୀ ହେବାକୁ ଚାହୁଁଥିଲେ। କିନ୍ତୁ କିଛି ସମସ୍ୟା ଥିଲା। ସେଥିପାଇଁ ସେ ଗାଇନାକୋଲଜିଷ୍ଟ ଡାକ୍ତର ଜିୟୋଭା୍ନି ମିନିଏଲୋଙ୍କ ପାଖକୁ ଯାଇଥିଲେ। ଡାକ୍ତର ଚିକିତ୍ସା ନାମରେ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହିତ କହିଥିଲେ ତାଙ୍କ ସହ ଯଦି ଶାରୀରିକ ସମ୍ପର୍କ ରଖିବେ ତେବେ ତାଙ୍କର ଶରୀରରେ ଥିବା ରୋଗ ଭଲ ହୋଇ ଯିବ।
ଏହାଶୁଣି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇ ଗଣମାଧ୍ୟମ ସହ ସମ୍ପର୍କ କରି ଘଟଣା ବିଷୟରେ ଜଣାଇଥିଲେ। ଡାକ୍ତରଙ୍କ କାରନାମାର ପର୍ଦାଫାସ କରିବା ପାଇଁ ଏକ ନ୍ୟୁଜ ଚାନେଲ ଷ୍ଟିଂ ଅପରେସନ କରିଥିଲା। ଆଉ ଡାକ୍ତର ବି ଧରାପଡ଼ି ଯାଇଥିଲେ। ଡାକ୍ତର ଧରାପଡ଼ିବା ପରେ ଅନେକ ମହିଳା ସାମ୍ନାକୁ ଆସି ଉକ୍ତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।