ହରିଦ୍ୱାର: ଋଶିକେଶର ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ)କୁ ଜଣେ ରୋଗୀଙ୍କୁ ଭୁଲ୍ ଏଚ୍ଆଇଭି ପଜିଟିଭ୍ ରିପୋର୍ଟ ଦେବା ମହଙ୍ଗା ପଡ଼ିଛି। ଭୁଲ୍ ରିପୋର୍ଟ ଦେଇଥିବା ହେତୁ ଏମ୍ସକୁ ଉକ୍ତ ରୋଗୀଙ୍କୁ ୬୦ ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଛି।
ଅଦାଲତଙ୍କ ଅନୁସାରେ ‘ଭୁଲ୍ ରିପୋର୍ଟ ପ୍ରଦାନ କରିବା ଦ୍ୱାରା ଏହା କୌଣସି ବି ରୋଗୀର ମାନସିକ ସ୍ଥିତିକୁ ପ୍ରଭାବିତ କରିପାରେ। ଏହି କାରଣରୁ ଏମ୍ସକୁ ମାସେ ମଧ୍ୟରେ ଜରିମାନା ଭରିବାକୁ ପଡ଼ିବ।’ ତେବେ, ପୀଡ଼ିତ ଜଣକ ହେଉଛନ୍ତି ନସିମ୍ ଅଲ୍ଲୀ।
୨୦୧୪ ମସିହାରେ ଏକ କ୍ଷତ ଭଲ କରିବାକୁ ଭଗବାନପୁରର ବାସିନ୍ଦା ନସିମ୍ ଏକ ହସ୍ପିଟାଲ୍କୁ ଯାଇଥିଲେ। ସେହି ହସ୍ପିଟାଲ୍ରୁ ନସିମଙ୍କୁ ଏମ୍ସ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏମ୍ସରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରି ସେ ଏଡ୍ସ ପୀଡ଼ିତ ବୋଲି ସୂଚନା ଦେଇଥିଲେ।
ଅଲ୍ଲୀଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡ଼ି ଯିବାରୁ ସେ ପରବର୍ତ୍ତୀ ମୁହୂର୍ତ୍ତରେ ମାହାନ୍ତ ଇନ୍ଦ୍ରେସ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ଜାଣିବାକୁ ମିଳିଲା ଯେ ସେ ଏଚ୍ଆଇଭି ନେଗେଟିଭ୍। ସେ ଏଚ୍ଆଇଭି ଆକ୍ରାନ୍ତ ନୁହଁନ୍ତି ବୋଲି ଜାଣିବା ପରେ ଏ ସଂପର୍କରେ କୋର୍ଟରେ ଅଭିଯୋଗ ଆଣିଥିଲେ।