ପାତ୍ରପଡ଼ା ଗୁଳିକାଣ୍ଡ ମାମଲା : ଲୁଟେରା ନା ସୁପାରି କିଲର୍‌!

ଖଣ୍ଡଗିରି : ପାତ୍ରପଡ଼ା ସଚିତ୍ର ଓରଫ୍‌ ଟୁକୁସା ଗୁଳିକାଣ୍ଡ ମାମଲାରେ ସମ୍ପୃକ୍ତ ଅପରାଧୀମାନଙ୍କ ଟେର୍‌ ପାଉନାହିଁ କମିସନରେଟ୍‌ ପୁଲିସ। ଗୁଳିକାଣ୍ଡ ଶିକାର ହୋଇଥିବା ଟୁକୁସାଙ୍କ ସୂଚନାକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଥିଲେ ବି ସଫଳତା ମିଳିନାହିଁ। ପୁଲିସ କେବଳ ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛି। ଲୁଟେରା ନା ସୁପାରି କିଲର ଏହି ମାମଲାରେ ସମ୍ପୃକ୍ତ ତାହା ବି ସ୍ପଷ୍ଟ ହୋଇପାରୁନାହିଁ। ସନ୍ଦିଗ୍ଧ ଅପରାଧୀମାନଙ୍କୁ ଟାର୍ଗେଟ୍‌ କରି ପୁଲିସ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। କିନ୍ତୁ ପୁଲିସର ସମସ୍ତ କୌଶଳ ବର୍ତ୍ତମାନ ସୁଦ୍ଧା କାମରେ ଆସିନଥିବା ଜଣାପଡ଼ିଛି। ଏଣେ ପୁଲିସର ବିଫଳତାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସେଦିନ ରାତିରେ ଟୁକୁସା ଉପରକୁ ଗୁଳି ଚଳାଇଥିବା ଅପରାଧୀମାନଙ୍କ ଷ୍ଟାଇଲ୍‌ରୁ କିଛି ସ୍ପଷ୍ଟ ହୋଇପାରୁନଥିବାରୁ ପୁଲିସ ଅଡ଼ୁଆରେ ପଡ଼ିଛି। ଗୋଡ଼କୁ ଗୁଳି କରି ପଳାଇଥିବାରୁ ଦୁର୍ବୃତ୍ତମାନେ ଟୁକୁସାଙ୍କୁ ଜୀବନରେ ମାରି ଦେବାକୁ ଚାହୁଁନଥିବା କୁହାଯାଉଛି। ଚାରି ଚାରି ରାଉଣ୍ଡ ଗୁଳି କରିଥିଲେ ବି ମୁଣ୍ଡ ବା ଛାତିକୁ ଲକ୍ଷ୍ୟ କରି ଗୁଳି କରାଯାଇନାହିଁ। ତେଣୁ ସ୍ୱାଭାବିକଭାବେ ଦୁର୍ବୃତ୍ତମାନେ ଟୁକୁସାଙ୍କୁ ଲୁଟ୍‌ କରିବାକୁ ଯାଇ ଜୋର୍‌ଦାର ପ୍ରତିରୋଧର ସମ୍ମୁଖୀନ ହୋଇ ଖସିଯିବା ପାଇଁ ଏଭଳି କରିଥିବା ଅନୁମାନ କରାଯାଉଛି। ପୁଲିସକୁ ଟୁକୁସା ଦେଇଥିବା ସୂଚନା ମଧ୍ୟ ସେହିଭଳି। ଦୁର୍ବୃତ୍ତମାନେ ତାଙ୍କୁ ଲୁଟ୍‌ କରିବାକୁ ଉଦ୍ୟମ କଲାବେଳେ ସେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ବୋଲି ଟୁକୁସା ପୁଲିସକୁ କହିଛନ୍ତି। ତେଣୁ ଏହା ଏକ ଡକାୟତି ମାମଲା ବୋଲି ପୁଲିସ ଅଧିକ ସନ୍ଦେହ କରୁଛି। ତେଣୁ ଗୁଳି କରି ଲୁଟ୍‌ପାଟ୍‌ କରୁଥିବା ଲୁଟେରାମାନଙ୍କ ଟ୍ରାକ୍‌ ରେକର୍ଡ ଦରାଣ୍ଡିବାରେ ଲାଗିଛି କମିସନରେଟ୍‌ ପୁଲିସ। ଏକ ସ୍ୱତନ୍ତ୍ର ଟିମ୍‌ ସନ୍ଦିଗ୍ଧ ଲୁଟେରାମାନଙ୍କ ପିଛା କରୁଥିବା ଜଣାପଡ଼ିଛି।

ସେହିଭଳି ପାତ୍ରପଡ଼ାରେ ଦୁଇ ଗୋଷ୍ଠୀ ଭିତରେ ଲାଗି ରହିଥିବା ଭୟଙ୍କର ବିବାଦକୁ ମଧ୍ୟ ପୁଲିସ ଏଡ଼ାଇ ଦେଇନାହିଁ। ଦିଲ୍ଲୀପ ନାଏକ ହତ୍ୟା ମାମଲାରେ ଟୁକୁସା ଜଣେ ସାକ୍ଷୀ ଥିବାରୁ ତାଙ୍କ ଉପରେ ଏଭଳି ଆକ୍ରମଣ କରାଯାଇଥିବା ନେଇ କଥା ଉଠିଛି। ସୁପାରି କିଲରଙ୍କୁ ନିୟୋଜିତ କରି ଏଭଳି ଜଘନ୍ୟ କାଣ୍ଡ କରାଯାଇଛି ବୋଲି କୁହାଯାଇଛି। ତେଣୁ ପୁଲିସ ସେ ଦିଗରେ ମଧ୍ୟ ନଜର ରଖି ତଦନ୍ତ କରୁଛି। ଏଭଳି ଗୋଳମାଳିଆ ସ୍ଥିତିରେ ମାମଲାଟି ଘଟିଥିବାରୁ ଯେତେ ଶୀଘ୍ର ସମାଧାନ ହେବ ସେତେ ଭଲ ବୋଲି ପୁଲିସ ଜାଣିଛି। ଏହି ମାମଲା ସମାଧାନ ହେବାରେ ବିଳମ୍ବ ଘଟିଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ତେଣୁ ପୁଲିସର ଚିନ୍ତା ବଢ଼ିଯାଇଛି। ଏସିପି ପି ରାଉତ ଏହି ଗୁରୁତ୍ୱପୂର୍ଣ ମାମଲା ତଦନ୍ତର ତଦାରଖ କରୁଥିଲେ ବି ତାଙ୍କଠାରୁ କିଛି ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର