ମାତ୍ର ୧୦୦ ଟଙ୍କାର ପେଟିଏମ୍ ଧରାପକାଇଦେଲା, ବନ୍ଧାହେଲେ ୪କୋଟିରୁ ଅଧିକ ଲୁଟିଥିବା ଲୁଟେରା
ନୂଆଦିଲ୍ଲୀ: ଚାରି କୋଟିରୁ ଅଧିକ ଟଙ୍କାର ଅଳଙ୍କାର ଲୁଟ୍ ମାମଲାର ସମାଧାନ କରିଛି ଦିଲ୍ଲୀ ପୁଲିସ । ଦିଲ୍ଲୀର ପହାଡ଼ଗଞ୍ଜ ନିକଟରେ ଲୁଟ୍ କରିଥିବା ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ରାଜସ୍ଥାନର ଜୟପୁରରୁ ଗିରଫ କରିଛି । ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତମାନେ ପେଟିଏମ ଜରିଆରେ ୧୦୦ ଟଙ୍କା ପଠାଇ ପୁଲିସ ଜାଲରେ ପଡ଼ିଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ଦିନ ଭୋର ୪ଟା ୩୦ରେ ଏକ କୋରିଅର କମ୍ପାନୀ ପାଖରୁ ଡକାୟତମାନେ ୪କୋଟିରୁ ଅଧିକ ମୂଲ୍ୟର ଅଳଙ୍କାର ଲୁଟି ନେଇଥିଲେ । ଏକ କୋରିଅର କମ୍ପାନୀରେ କାମ କରୁଥିବା ଦୁଇଜଣ ଯୁବକ ଅଳଙ୍କାର ନେଇ ଚଣ୍ଡିଗଡ଼ ଯାଉଥିଲେ । ସେହି ସମୟରେ ୪ରୁ ୫ ଜଣ ବ୍ୟକ୍ତି ସେଠାକୁ ଆସିଥିଲେ, ସେଥିମଧ୍ୟରୁ ଜଣେ ପୁଲିସ ୟୁନିଫର୍ମରେ ଥିଲା । ଡକାୟତମାନେ ଉଭୟଙ୍କୁ ଆକ୍ରମଣ ଆରମ୍ଭ କରି ଆଖିରେ ଲଙ୍କା ପାଉଡର ପକାଇ ଅଳଙ୍କାର ଛଡ଼ାଇ ନେଇ ପଳାଇଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ସିସିଟିଭିରୁ ଚିହ୍ନଟ ହୋଇଥିଲା । ଏହି ଘଟଣା ପୂର୍ବରୁ ଜଣେ ଅଭିଯୁକ୍ତ କ୍ୟାବ ଡ୍ରାଇଭରକୁ ୧୦୦ଟଙ୍କା ଟଙ୍କା ପେଟିଏମ୍ କରିଥିଲା । ତା’ପରେ ଚା ଦୋକାନୀକୁ ୧୦୦ ଟଙ୍କା ଦେଇଥିଲା। ଏହାକୁ ସୂତ୍ର ହିସାବରେ ନେଇ ପୁଲିସ ଲୁଟେରାଙ୍କ ପାଖରେ ପହଞ୍ଚିଥିଲା।
କ୍ୟାବ ଡ୍ରାଇଭରଙ୍କୁ ପଚରାଉଚରା କରିବା ପରେ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ମିଳିଥିଲା । ଏହା ପରେ ଜୟପୁରରୁ ତିନିଜଣ ଅଭିଯୁକ୍ତଙ୍କୁ ଧରାଯାଇଥିଲା । ଦିଲ୍ଲୀ ପୁଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଲୁଟ୍ ହୋଇଥିବା ଅଳଙ୍କାର ଉଦ୍ଧାର କରିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।