ରାଉରକେଲା: ଫେସ୍‌ବୁକ୍‌ରେ ସମିତି ସଭ୍ୟାଙ୍କ ସହ ଅଶ୍ଲୀଳ ଚାଟିଂ କରି ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ ହେବା ଘଟଣା ହେମଗିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତଙ୍କ ନାମ ସରୋଜ ସୁନ୍ୟାନୀ, ସେ ହେମଗିର ବ୍ଲକ ସୁମୁରା ପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ବୋଲି ଜଣାପଡ଼ିଛି। ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅଭିଯୋଗ ଅନୁସାରେ ସରୋଜ ପୂର୍ବରୁ ସୁମୁରା ପଞ୍ଚାୟତର ନିର୍ବାହୀ ଅଧିକାରୀ ଥିବା ବେଳେ ସମିତି ସଭ୍ୟାଙ୍କ ସଂସ୍ପର୍ଶରେ ଆସିଥିଲେ। ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ତାଙ୍କୁ ସୁମୁରାରୁ ହଟାଇ ବ୍ଲକକୁ ଅଣାଯାଇଥିଲା। ସେ ବ୍ଲକରେ ରହିଥିଲେ ବି ସମ୍ପୃକ୍ତ ସମିତି ସଭ୍ୟାଙ୍କ ସହ ଫେସ୍‌ବୁକ୍‌ରେ ସମ୍ପର୍କ ରଖିଥିଲେ। ତେବେ କିଛି ଦିନ ହେଲା ସେ ଫେସ୍‌ବୁକ୍‌ରେ ଅଶ୍ଲୀଳ ଚାଟିଂ କରିବାରୁ ସମିତି ସଭ୍ୟା ଅତିଷ୍ଠ ହୋଇ ସରୋଜଙ୍କୁ ଏଭଳି ମେସେଜ୍‌ ନପଠାଇବାକୁ ତାଗିଦ୍‌ କରିଥିଲେ। ହେଲେ ସରୋଜ ଚାଟିଂ ଜାରି ରଖିଥିଲେ। ଶେଷକୁ ଗତକାଲି ରାତିରେ ପୀଡ଼ିତା ହେମଗିର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ପିଇଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।