ଚୋରକୁ ମାଡ଼ମାରି ପୁଲିସରେ ଦେଲେ

ଭୁବନେଶ୍ୱର: ନୂଆପଲ୍ଲୀ ଏନ୍‌-୬ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଏସି ପାଇପ ଚୋରି କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଚୋରି କରୁଥିବା ସମୟରେ ଲୋକମାନେ ଯୁବକଙ୍କୁ ଧରି ନିସ୍ତୁକମାଡ଼ ମାରିବା ସହ ପୁଲିସରେ ଜିମା ଦେଇଛନ୍ତି। ଯୁବକ ଜଣଙ୍କ ହେଲେ ସାଲିଆସାହି ବଜରଙ୍ଗଗଳି ଅଞ୍ଚଳର ସନ୍ତୋଷ ଗୌଡ଼ ଓରଫ ମକରା(୨୧)। ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମକରା ଏନ୍‌-୬ ଅଞ୍ଚଳରେ ଥିବା ଚିନ୍ମୟ ସାମନ୍ତରାୟଙ୍କ ଘରୁ ଏସି ପାଇପ ଚୋରି କରୁଥିଲା। ଏହି ସମୟରେ ଚିନ୍ମୟ ଘରବାହାରକୁ ଆସିଥିଲେ। କେହି ଜଣେ ଯୁବକ ତାଙ୍କ ଏସି ପାଇପ କାଟୁଥିବା ଦେଖି ପାଟିକରିଥିଲେ। ଚିନ୍ମୟଙ୍କ ପାଟିଶୁଣି ପଡ଼ୋଶୀ ଲୋକ ଧାଇଁ ଆସିଥିଲେ। ଅନ୍ୟପଟେ ମକରା ମଧ୍ୟ ଘଟଣାସ୍ଥଳରୁ ଖସିପଳାଇବାକୁ ଚେଷ୍ଟା କରିଥିଲା। ହେଲେ ଲୋକମାନେ ମକରାକୁ କାବୁୁ କରିନେଇଥିଲେ। ତାକୁ ନିସ୍ତୁକ ମାଡ଼ମାରିବା ସହ ବହୁତ ପାଇପ ଜବତ କରିଥିଲେ। ଏହାପରେ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମକରାକୁ ଗିରଫ କରି ଥାନାକୁ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ମକରାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର