୨୬ ପ୍ୟାକେଟ୍‌ ନକଲି କୀଟନାଶକ ଜବତ, ଏଫ୍‌ଏମ୍‌ସି କମ୍ପାନି ନାଁରେ ବିକ୍ରି ଅଭିଯୋଗରେ ବ୍ୟବସାୟୀ ଗିରଫ

ବୌଦ୍ଧ: ଏଫ୍‌ଏମ୍‌ସି କମ୍ପାନି ନାଁରେ ନକଲି କୀଟନାଶକ ବିକ୍ରି ଅଭିଯୋଗରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ପୁଲିସ ଜଣେ ବ୍ୟବସାୟୀକୁ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତଙ୍କ ନାଁ ବିକାଶ ଅଗ୍ରଓ୍ଵାଲ (୩୯)। ମାଲିକ ତଥା ବଡ଼ଭାଇ ମହେଶ ଅଗ୍ରଓ୍ଵାଲଙ୍କ ଦୋକାନରେ ବସିଥବା ବେଳେ ବିକାଶକୁ ପୁଲିସ ଗିରଫ କରଛି। ମହେଶ ଅଗ୍ରଓ୍ଵାଲ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ବାଲାଜୀ ଷ୍ଟୋର ନାଁରେ ଏକ ଦୋକାନ ଖୋଲିଛନ୍ତି। ଗିରଫ ବେଳେ ପୁଲିସ ଦୋକାନରୁ ୨୬ ପ୍ୟାକେଟ୍‌ ନକଲି କୀଟନାଶକ ଜବତ କରିଥିବା ଜଣାପଡ଼ିଛି। ମହେଶ ଓ ବିକାଶଙ୍କ ନାଁରେ ପୁଲିସ ମାମଲା ରୁଜୁ କରି ଘଟଣାର ତତନ୍ତ କରୁଛି।

ସୂଚନା ଅନୁସାରେ ବାଲାଜୀ ଷ୍ଟୋରରେ ଦୀର୍ଘ ଦିନରୁ ଏଫଏମସି କମ୍ପାନି ନାଁରେ ନକଲି କୀଟନାଶକ ବିକ୍ରି ହେଉଥିବା ନେଇ ଚାଷୀ ମହଲରୁ ଅଭିଯୋଗ ହୋଇ ଆସୁଥିଲା। ଏସମ୍ପର୍କରେ କମ୍ପାନି ଖବର ପାଇବାରୁ ଉତ୍ତରପ୍ରଦେଶର ଟ୍ରିଉ ବଡି କଂସଲଟାନ୍‌ସର ନିରୀକ୍ଷକ କର୍ମଚାରୀ ରବିକାନ୍ତ ଜୟସ୍ୱାଲ ବାଉଁଶୁଣି ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ଶ୍ରୀ ଜୟସ୍ୱାଲ କହିଥିଲେ, ମୁଁ ବାଲାଜୀ ଷ୍ଟୋରକୁ ଯାଇ ଏଫ୍‌ଏମସି କମ୍ପାନିର କୀଟନାଶକ ଯାଞ୍ଚ କରିଛି। ଏହା ନକଲି ବୋଲି ଜଣାପଡ଼ିଛି। ଏହି ବେଆଇନ କାରବାର ଯୋଗୁଁ ଚାଷୀମାନଙ୍କୁ କ୍ଷତି ପହଞ୍ଚୁଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ୱ ହ୍ରାସ ପାଉଛି। ତେଣୁ ଘଟଣାର ତଦନ୍ତ କରାଯିବାର ଆବଶ୍ୟକତା ଅଛି।

ପୁଲିସ ଉକ୍ତ ଅଭିଯୋଗ ଆଧାରରେ ମହେଶ ଅଗ୍ରୱାଲଙ୍କ ଦୋକାନ ଉପରେ ଚଢ଼ାଉ କରିଥିଲା। ଏଥି ସହିତ ଦୋକାନରେ ଥିବା କୀଟନାଶକ କମ୍ପାନିର କର୍ମଚାରୀଙ୍କ ଉପସ୍ଥିତିରେ ତଦନ୍ତ କରିଥିଲା। ତଦନ୍ତ ବେଳେ କୀଟନାଶକ ନକଲି ବୋଲି ଜଣାପଡ଼ିଥିଲା ଏହାପରେ ପୁଲିସ ଅଭିଯୁକ୍ତ ବିକାଶ ଅଗ୍ରଓ୍ଵାଲକୁ ଗିରଫ କରିଥିଲା। ବିକାଶ ଅଗ୍ରଓ୍ଵାଲକୁ କୋର୍ଟ ଚାଲାଣ କରିଥିବା ବାଉଁଶୁଣୀ ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର