ଭୁବନେଶ୍ବର : ୟୁନିଟ୍-୪ ସ୍ଥିତ ଜନସ୍ବାସ୍ଥ୍ୟ (ପିଏଚ୍ଡି) କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଉପଖଣ୍ଡୀୟ ଯନ୍ତ୍ରୀ(ଏସ୍ଡିଓ) ଯୌନ ନିର୍ଯାତନା ଦେବା ଅଭିଯୋଗରେ ନୂଆ ମୋଡ଼ ଆସିଛି। ଆଜି କ୍ୟାପିଟାଲ ଥାନାରେ ଚାଲିଥିବା କ୍ୟାମ୍ପକୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ମହିଳା ଥାନା ପୁଲିସ୍ ସହାୟତାରେ ପୀଡ଼ିତା ଥାନାରେ ପହଞ୍ଚିବା ପରେ ତାଙ୍କୁ କ୍ୟାପିଟାଲ ଥାନା ନିଆଯାଇଥିଲା। ସେଠାରେ ଉପସ୍ଥିତ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ଘଟଣା ଦିନର ସମସ୍ତ ବିବରଣୀ ପ୍ରକାଶ କରିଥିଲେ। ଆଇପିସି ଧାରା ୧୬୪ ମୁତାବକ ବୟାନ ରେକର୍ଡ କରାଯିବା ପରେ ୧୧ ଦିନ ଧରି ଥମି ଯାଇଥିବା ମାମଲା ପୁଣି ଚର୍ଚ୍ଚାକୁ ଆସିଛି। ତେବେ ଏଯାବତ୍ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରାଯାଇ ନାହିଁ। ଅଭିଯୋଗ ମୁତାବକ, ଅଫିସ୍ରେ କାମ କରୁଥିବା ଜଣେ ମହିଳା ସହକର୍ମୀଙ୍କୁ ଉପଖଣ୍ଡୀୟ ଯନ୍ତ୍ରୀ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ମହିଳା ଥାନାରେ ଏକ ମାମଲା(୧୦୧/୧୮) ରୁଜୁ ହୋଇଥିଲା। ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରିବା ସହ ଧାରା ୧୬୧ ମୁତାବକ ଉଭୟଙ୍କର ବୟାନ ରେକର୍ଡ କରାଯାଇଥିଲା।