ନୂଆଦିଲ୍ଲୀ: ମେକ୍ସିକୋର ସିନାଲିଆ ସହରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ବସ ଭିତରେ ୩୦ରୁ ଅଧିକ ଥର ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଯୁବତୀ କୌଣସି କାମରେ ବସରେ ବସି ଯାଉଥିଲେ। ଏହି ସମୟରେ ଯୁବତୀଙ୍କ ପୂର୍ବତନ ପ୍ରେମିକ ହଠାତ ବସ ଭିତରକୁ ଚଢ଼ି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ସେ ଯୁବତୀଙ୍କୁ ଦେଖି ଛୁରାମାଡ଼ କରି ଚାଲିଥିଲା। ଥରେ କି ଦୁଇଥର ନୁହେଁ, ଏକାଥରକେ ୩୦ଥର ଛୁରାମାଡ଼ କରିଥିଲା।
ଯୁବତୀ ଜଣକ ପୂର୍ବତନ ପ୍ରେମିକର ଆକ୍ରମଣରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବସ ଭିତରେ ଥିବା ଯାତ୍ରୀମାନେ ଆକ୍ରମଣ ଭୟରେ କିଛି ନ ଘଟିଲା ଭଳି ଆଖି ବୁଜି ତଳକୁ ଓହ୍ଲାଇ ଯାଇଥିଲେ।
ଏହି ଆକ୍ରମଣ ପରେ ଅଭିଯୁକ୍ତ ପ୍ରେମିକ ସେଠାରୁ ଖସି ଚାଲି ଯିବାକୁ ଉଦ୍ୟମ କରୁଥିବା ବେଳେ ତଳେ ଛିଡ଼ା ହୋଇଥିବା ଯାତ୍ରୀମାନେ ତାକୁ କାବୁ କରି ନେଇଥିଲେ । ଏହାପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି।
ସୌଭାଗ୍ୟବଶତଃ ଯୁବତୀ ଜଣକ ଶୀତବସ୍ତ୍ର ପିନ୍ଧିଥିବାରୁ ଯୁବକ ୩୦ରୁ ଅଧିକଥର ଛୁରାମାଡ଼ କରିଥିଲେ ବି ତାଙ୍କ ଜୀବନ ରକ୍ଷା ପାଇ ଯାଇଛି। ଯୁବତୀ ଜଣକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।