ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ରଘୁବୀର ନଗର ଅଞ୍ଚଳରେ ଜଣେ ଯୁବ ଫଟୋଗ୍ରାଫରଙ୍କୁ ଗଳାକାଟି ହତ୍ୟା ପରେ ଉତ୍ତେଜନା ଦେଖାଯାଇଛି। ତାଙ୍କ ମୁସ୍ଲିମ୍ ପ୍ରେମିକାଙ୍କ ପରିବାର ଏପରି ଜଘଣ୍ୟ କାଣ୍ଡ କରିଥିବା ଜଣାପଡ଼ିବା ପରେ ସାରା ଇଲାକାରେ ସାମ୍ପ୍ରଦାୟିକ ଦଙ୍ଗାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।
ପୁଲିସ ସୂଚନାନୁଯାୟୀ, ପେସାରେ ଫଟୋଗ୍ରାଫର ଥିବା ରଘୁବୀର ଅଞ୍ଚଳର ୨୩ ବର୍ଷୀୟ ଅଙ୍କିତ ସାକ୍ସେନାଙ୍କର ଦୁଇ ବର୍ଷ ହେଲା ତାଙ୍କ ଘର ପାଖରେ ରହୁଥିବା ମୁସ୍ଲିମ୍ ସମ୍ପ୍ରଦାୟର ସେହଜାଦି(୨୦)ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିିଥିଲା।
ତେବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମୁକ୍ତ ଶିକ୍ଷା ଅଧୀନ ଦ୍ୱିତୀୟ ବର୍ଷ ସ୍ନାତକ ଛାତ୍ରୀ ଥିବା ସେହେଜାଦିଙ୍କ ପରିବାର ଲୋକେ ଭିନ୍ନ ସମ୍ପ୍ରଦାୟର ଯୁବକ ସହ ଏପରି ସମ୍ପର୍କରୁ ବିରୋଧ କରି ଆସୁଥିଲେ। ଅପରପକ୍ଷେ, ଅଙ୍କିତଙ୍କ ପରିବାରର ଏଥିରେ କୌଣସି ଆପତ୍ତି ନଥିଲା। ତେବେ ପରିସ୍ଥିତିର ସମ୍ବେଦନଶୀଳତା ଦୃଷ୍ଟିରୁ ଉଭୟ ପରିବାର ପ୍ରେମୀଯୁଗଳଙ୍କୁ ପରସ୍ପର ସହ ସାକ୍ଷାତ କରିବାରୁ ବିରତ ରହିବା ଲାଗି ବାରମ୍ବାର ଉଦ୍ୟମ କରିଥିଲେ। ଏହି ଅବସରରେ ସେହେଜାଦିଙ୍କୁ ଅନ୍ୟତ୍ର ବିବାହ କରିଦେବା ଲାଗି ତାଙ୍କ ପରିବାର ବରପାତ୍ର ଖୋଜୁଥିବା ବେଳେ ସେ ଏଥିରେ ରାଜି ହେଉନଥିଲେ।
ଗୁରୁବାର ସନ୍ଧ୍ୟାରେ ଅଙ୍କିତ କୌଣସି କାମରେ ଯାଉଛି କହି ଘରୁ କାର୍ ଯୋଗେ ବାହାରି ଆସିଥିଲେ। ଏଣେ ଦିଲ୍ଲୀର ଏକ ମେଟ୍ରୋ ଷ୍ଟେସନ ବାହାରେ ସେହେଜାଦି ତାଙ୍କୁ ଅପେକ୍ଷା କରି ରହିଥିଲେ। ତେବେ ଅଙ୍କିତଙ୍କୁ ବାଟରେ ସେହେଜାଦିଙ୍କ ବାପା, ମାଆ, ଦାଦା ଏବଂ ନାବାଳକ ଭାଇ ଅଟକାଇ ଧମକ ଦେଇଥିଲେ। ଏପରିକି ମଝିରେ ମଝିରେ ସେହେଜାଦି ନିୟମିତ ଭାବେ ଘରୁ କୁଆଡ଼େ ପଳାଇବା ପାଇଁ ସେମାନେ ଅଙ୍କିତଙ୍କୁ ଦୋଷାରୋପ କରିଥିଲେ। ମାତ୍ର ଏଥିରେ ତାଙ୍କର କିଛି ଭୂମିକା ନାହିଁ ବୋଲି କହି ଅଙ୍କିତ ନିଜକୁ ନିର୍ଦ୍ଦୋଷ ବୋଲି ଯୁକ୍ତି କରିବା ସହ ମାମଲାର ସମାଧାନ ପୁଲିସ ଉପସ୍ଥିତିରେ କରିବା ଲାଗି ଜୋର୍ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେହେଜାଦିଙ୍କ ପରିବାର ଲୋକେ ତାଙ୍କୁ ମିଳିତ ହୋଇ ଖୁବ୍ ଜୋର୍ରେ ବାଡ଼ିଆପିଟା କରିଥିଲେ। ଏ ସମ୍ପର୍କରେ ଖବର ପାଇ ଅଙ୍କିତଙ୍କ ବାପାମା’ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେହେଜାଦିଙ୍କ ଦାଦା ଓ ମା’ ସେମାନଙ୍କୁ ଧରି ପକାଇଥିଲେ। ଏତିକିବେଳେ ସେହେଜେଦିଙ୍କ ବାପା ଏକ ତୀକ୍ଷ୍ଣ ଛୁରିରେ ଅଙ୍କିତଙ୍କ ବେକକୁ ପଛପଟୁ କାଟି ଦେଇ ଫେରାର୍ ହୋଇଯାଇଥିଲେ।
ଭୀଷଣ ରକ୍ତସ୍ରାବ ସହ କେଇ ସେକେଣ୍ଡ୍ ଭିତରେ ଅଙ୍କିତ ସେଠାରେ ଟଳିପଡ଼ିଥିଲେ। ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ସେହେଜାଦିଙ୍କ ମା’ ଓ ଦାଦାଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସରେ ଦେଇଥିଲେ। ସେହିପରି ଖବର ପାଇ ପୁଲିସ ପରେ ତାଙ୍କ ବାପାଙ୍କୁ ମଧ୍ୟ ଗିରଫ କରିଥିବା ବେଳେ ଶୁକ୍ରବାର ଅପରାହ୍ଣରେ ଅନ୍ୟତମ ଅଭିଯୁକ୍ତ ତଥା ସେହେଜାଦିଙ୍କ ନାବାଳକ ଭାଇ(୧୬)କୁ ଧରିନେଇଥିଲେ। ଘଟଣା ପରେ ଅଙ୍କିତଙ୍କ ଘରେ ଶହଶହ ସଂଖ୍ୟାରେ ଲୋକେ ପହଞ୍ଚି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଗତକାଲି ଅଙ୍କିତଙ୍କ ଶେଷକୃତ୍ୟ ପରେ ରଘୁବୀର ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଏହାକୁ ନେଇ ସାମ୍ପ୍ରଦାୟିକ ଦଙ୍ଗା ଆଶଙ୍କାରେ ଶୁକ୍ରବାର ସନ୍ଧ୍ୟାରେ ସେଠାରେ ଦୁଇ ଡଜନ ପୁଲିସ ବଳ ସହ ଏକ କମାଣ୍ଡୋ ୟୁନିଟ୍କୁ ନିୟୋଜିତ କରାଯାଇଛି। ଅଙ୍କିତ ଓ ସେହେଜାଦିଙ୍କ ଘର ସମେତ ଆଖପାଖ ଇଲାକାରେ ବିଏସ୍ଏଫ୍ ଯବାନମାନେ ପଇଁତରା ଜାରି ରଖିଛନ୍ତି। ତେବେ ଖବର ମିଳିବା ସୁଦ୍ଧା କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଯାଇନାହିଁ।