ମୋଦୀ ଓ ଯୋଗୀଙ୍କ ଚିତ୍ର ଆଙ୍କିବା ମହିଳାଙ୍କୁ ମହଙ୍ଗା ପଡ଼ିଲା, ସ୍ୱାମୀ ଦେଲେ ତିନ ତଲାକ୍‌ର ଧମକ

ବାଲିୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଫଟୋ ଚିତ୍ର ଆଙ୍କିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଚିତ୍ର ଆଙ୍କିବା ହେତୁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ସିକନ୍ଦରପୁର ଥାନା ଅଞ୍ଚଳର ମଟୁରି ଗ୍ରାମରେ ବିଗତ ଦୁଇବର୍ଷ ହେଲା ପୀଡ଼ିତା ନଗାମ ନିଜ ବାପ ଘରେ ରହୁଛନ୍ତି। ନିକଟରେ ନଗମାଙ୍କୁ ତାଙ୍କ ସ୍ୱାମୀ ତିନ ତଲାକ୍‌ର ଧମକ ଦେଇଛନ୍ତି। ସ୍ୱାମୀଙ୍କ ଠାରୁ ତିନ ତଲାକ୍‌ର ଧମକ ପାଇବା ପରେ ବିଚଳିତ ହୋଇ ନଗମା ଏସପିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜର ଦୁଃଖ ଜଣାଇଥିଲେ। କିନ୍ତୁ କୌଣସି ଆଡ଼ୁ ତାଙ୍କୁ ଏଯାବତ କିଛି ବି ସାହାଯ୍ୟ ମିଳି ପାରି ନାହିଁ।

ନଗମା ଓ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର କାରଣ ହେଉଛି ମୋଦୀ ଓ ଯୋଗୀଙ୍କ ଫଟୋ ଚିତ୍ର ଆଙ୍କିବା। ନଗମା ୨୦୧୭ରେ ମୋଦୀ ଓ ଯୋଗୀଙ୍କ ଫଟୋ ଚିତ୍ର ଆଙ୍କିଥିଲେ। ଏଭଳି ଚିତ୍ର ଆଙ୍କିବାକୁ କେନ୍ଦ୍ର କରି ନଗମାଙ୍କ ସ୍ୱାମୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମୋଦୀ ଓ ଯୋଗୀଙ୍କ ଫଟୋ ଆଙ୍କିବା କାରଣରୁ ତାଙ୍କୁ ତାଙ୍କ ଶାଶୁଘରୁ ବାହାର କରି ଦିଆଯାଇଥିଲା। କେବଳ ଏତିକି ନୁହେଁ, ନଗମା ନିକଟରେ ମାର୍କେଟିଂ ପାଇଁ ଯାଇଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ରାସ୍ତାରେ ଅଟକାଇ ତିନ ତଲାକ୍‌ର ଧମକ ଦେଇଛନ୍ତି।

ଏଥିସହିତ ନଗମା ଅଭିଯୋଗ କରିଛନ୍ତି କି, ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି କାହାକୁ କିଛି ନଜଣାଇ ଦୁଇଟି ସନ୍ତାନ ଥିବା ଜଣେ ମହିଳାଙ୍କୁ ବିବାହ କରି ନେଇଛନ୍ତି।

ସମ୍ବନ୍ଧିତ ଖବର