ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା ପୁଲିସ୍

ଥାନା ଆଗରେ ପରିବାରଲୋକଙ୍କ ଧାରଣା

ଚନ୍ଦ୍ରଶେଖରପୁର: ଛାତରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟଣାକୁ ୨୦ ଦିନ ବିତିବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଆଜି ଏନେଇ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତ ଯୁବକଜଣଙ୍କ ହେଲା, ନୟାଗଡ଼ର ରମେଶ ନାୟକ। ତାଙ୍କ ପରିବାରଲୋକ ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଥାନାକୁ ଆସି ହତ୍ୟା ମାମଲା ରୁଜୁ କରିବା ପାଇଁ ଦାବି କରିଥିଲେ। ପୁଲିସ ତାଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲେ ହେଁ ଆଜି ପୁଣି ସେମାନେ ଥାନା ଆଗରେ ବସି ଧାରଣା ଦେବାରୁ ପୁଲିସ ଅପମୃତ୍ୟୁ ମାମଲାକୁ ହତ୍ୟାରେ ରୂପାନ୍ତର କରିଥିଲା।

ସୂଚନା ଅନୁଯାୟୀ, ପାଖାପାଖି ୨୦ ଦିନ ତଳେ ରମେଶଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ରମେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ବାପା ବରୁଣଙ୍କ ସନ୍ଦେହ ହୋଇଥିଲା। ବରୁଣଙ୍କ ଅଭିଯୋଗ ଅନୁଯାୟୀ, ଗତ ଅଗଷ୍ଟ ୩୧ ତାରିଖରେ ତାଙ୍କ ପୁଅ ଢମଣା ଛକ ନିକଟ ଜଣେ ବ୍ୟକ୍ତିଙ୍କ ଘରକୁ ରହିବା ପାଇଁ ଆସିଥି‌ଲେ। ମାତ୍ର ଦୁଇ ଦିନ ପରେ ତାଙ୍କ ପୁଅର ମୋବାଇଲ୍ ଫୋନ୍‌ରୁ ଅନ୍ୟ କେହି ଜଣେ କଲ୍‌ କରି ରମେଶଙ୍କ ମୃତ୍ୟୁ ଖବର ଦେଇଥିଲେ। ସୂଚନା ପାଇ ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ରମେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଦାବି କରିଛନ୍ତି। ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ସେମାନେ ପୁଲିସ୍‌କୁ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର