ପୁଲିସ ଜାଲରେ ମା’-ପୁଅ, ବ୍ରାଉନ୍‌ସୁଗାର ହବ୍‌ ହଳଦୀପଡ଼ିଆ

ଭୁବନେଶ୍ୱର: ବ୍ରାଉନ୍‌ସୁଗାର ହବ୍‌ରେ ପରିଣତ ହୋଇଛି ହଳଦୀପଡ଼ିଆ। ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଏହି ବେଆଇନ କାରବାର ଅଭିଯୋଗରେ ମା’ ଓ ପୁଅକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩ଗ୍ରାମ ବ୍ରାଉନସୁଗାର୍‌ ଜବତ କରିଛି। ଯାହାର ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ। ଏହା ଛଡ଼ା ପୁଲିସ ସେମାନଙ୍କଠାରୁ ନଗଦ ୧ ଲକ୍ଷ ୨୭ ହଜାର ଟଙ୍କା, ଏକ ବାଇକ୍‌ ଓ ମୋବାଇଲ ଜବତ କରିଛି। ଗିରଫ ମା’-ପୁଅ ହେଲେ, ତୁଳସୀ ଦାସ ଓ ତାଙ୍କ ପୁଅ ରମେଶ ଦାସ। ଘର ଖୋର୍ଧା ଟାଙ୍ଗୀ ଥାନା ଅଧୀନ ବାଲିପାଟପୁର କଲୋନିର ଝାଟିନୂଆ ଗାଁରେ। ଏଠାରେ ସେମାନେ ଦୀର୍ଘ ଦିନ ହେବ ହଳଦୀପଡ଼ିଆ ବସ୍ତିରେ ରହି ଆସୁଛନ୍ତି। ମା’ ଓ ପୁଅକୁ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ  ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୬ ମାସ ମଧ୍ୟରେ ଲକ୍ଷ୍ମୀସାଗର ଥାନା ପୁଲିସ ୬ ଜଣ ନିଶା ମାଫିଆଙ୍କୁ ଗିରଫ କରିବା ସହ ପାଖାପାଖି କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି। ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର୍‌ ଦୟାନିଧି ନାୟକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ମା’ ପୁଅ ଦୀର୍ଘ ଦିନ ହେଲା ହଳଦୀପଡ଼ିଆ ବସ୍ତିରେ ବ୍ରାଉନ୍‌ସୁଗାର ବେପାର ଚଲାଇ ଆସୁଥିଲେ। ଏନେଇ ସୂଚନା ଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣ ନଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିପାରୁ ନଥିଲା। ଗତକାଲି କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଅଚାନକ ତୁଳସୀଙ୍କ ଘରେ ଚଢ଼ଉ କରିଥିଲା। ପୁଲିସ ସେମାନଙ୍କ ପାଖରେ ଥିବା ୧୩ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା। ପୁଲିସ ସେହି ବସ୍ତିର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ଉ ଜାରି ରଖିଛି। ସେମାନଙ୍କଠାରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ଆଗାମୀ ଦିନରେ ଆହୁରି ଚଢ଼ଉ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଶ୍ରୀ ନାୟକ ସୂଚନା ଦେଇଛନ୍ତି। ହଳଦୀପଡ଼ିଆରେ ବ୍ରାଉନ୍‌ସୁଗାର କାରବାର କରୁଥିବା କେତେକ ନିଶା ମାଫିଆଙ୍କର ଏକ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଏଠାରେ ପ୍ରକାଶଥାଉକି, ସପ୍ତାହକ ତଳେ କଟକ ଅବକାରୀ ବିଭାଗ ପୁଲିସ ହଳଦୀପଡ଼ିଆ ବସ୍ତିରେ ଚଢ଼ଉ କରି ଫିରୋଜା ବିବି ନାମକ ଜଣେ ମହିଳାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ୯ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଯାହାକି ଏକ ରେକର୍ଡ।

ସମ୍ବନ୍ଧିତ ଖବର