ଭୁଲ ଲୋକକୁ ବାନ୍ଧି ନେଇଥିଲା ପୁଲିସ, ପୀଡ଼ିତଙ୍କୁ ୫୦ ହଜାର ଟଙ୍କା ଦେବାକୁ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ

କଟକ,: ନିରପରାଧ ବ୍ୟକ୍ତିଙ୍କୁ ଗିରଫ କରିବା ମହଙ୍ଗା ପଡିଛି କଟକ ମଧୁପାଟଣା ଥାନା ପୁଲିସ ପାଇଁ। ଜଗତସିଂପୁର ଜିଲ୍ଲାର ଅଳସୁଧା ଗ୍ରାମର ଭାରତ ଭୂଷଣ ବାରିକଙ୍କୁ ଗିରଫ କରିବାକୁ ଯାଇ ମଧୁପାଟଣା ଥାନା ପୁଲିସ ପାଳସୁଧା ଗ୍ରାମର ଭାରତ କୁମାର ବାରିକଙ୍କୁ ୨୦୧୭ରେ ଗିରଫ କରିଥିଲା। ଏହି ଘଟଣା ପରବର୍ତ୍ତୀ ସମୟରେ ପ୍ରଘଟ ହେବା ପରେ ପୀଡିତଙ୍କ ମାନବାଧିକାର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ତାଙ୍କ ବାପା ବିଷ୍ଣୁଚରଣ ବାରିକ ଓ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। କମିସନ୍ ସଦସ୍ୟ ଜଷ୍ଟିସ ରଘୁବୀର ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅଭିଯୋଗର ଶୁଣାଣି କରି ପୀଡିତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ଭିତରେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ଓ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ରିପୋର୍ଟ କମିସନଙ୍କ ନିକଟରେ ଦାଖଲ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ‌ଯେ, ୨୦୧୦ରେ ମଧୁପାଟଣା ଥାନାରେ ରୁଜୁ ଏକ ଅପରାଧିକ ମାମଲାରେ ଜଗତସିଂହପୁର ଜିଲ୍ଲାର ପାଳସୁଧା ଗ୍ରାମର ଭାରତ କୁମାର ବାରିକଙ୍କୁ ପୁଲିସ ୨୦୧୭, ନଭେମ୍ବର ୫/୬ ରାତିରେ ଗିରଫ କରିଥିଲା। ଭାରତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ତାଙ୍କୁ ଚୌଦ୍ବାର ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରେ ଅଳସୁଧା ଗ୍ରାମର ଭାରତ ଭୂଷଣ ବାରିକ ଅଭିଯୁକ୍ତ ରହିଥିବା ବେଳେ ଭୁଲରେ ପୁଲିସ ପାଳସୁଧା ଗ୍ରାମର ଭାରତ କୁମାର ବାରିକଙ୍କୁ ଗିରଫ କରିଥିବା ଘଟଣା ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଏହାପରେ ପାଳସୁଧା ଗ୍ରାମର ପୀଡିତ ଭାରତ କୁମାର ବାରିକ ଜେଲରୁ ମୁକୁଳି ଥିଲେ। ବେଆଇନ ଭାବେ ଗିରଫ କରାଯାଇଥିବା ଘଟଣାକୁ ନେଇ ମାନବାଧିକାର କମିସନରେ ଆଇନଜୀବୀ ପ୍ରବୀର କୁମାର ଦାସ ଓ ପୀଡିତଙ୍କ ବାପା ପିଟିସନ୍ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର