ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଜଣେ ୬୨ ବର୍ଷିୟ ବ୍ୟକ୍ତି ତାଙ୍କ ବୋହୂଙ୍କ ମୁଣ୍ଡ କାଟିପକାଇ ରକ୍ତାକ୍ତ ହାତରେ ଥାନାରେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ଘରୋଇ କଳି ଯୋଗୁଁ ଆଗ୍ରା ଜିଲ୍ଲା ଅନ୍ତର୍ଗତ ମଲିକାପୁର ଗ୍ରାମର ବାସିନ୍ଦା ୬୨ ବର୍ଷିୟ ରଘୁବୀର ସିଂହ କ୍ରୋଧାନ୍ବିତ ହୋଇ ମଙ୍ଗଳବାର ଦିନ ତାଙ୍କ ୨୮ ବର୍ଷୀୟ ବୋହୂ ପ୍ରିୟଙ୍କା ସିଂହଙ୍କୁ ହତ୍ୟା କରିଥିବା କଥା କିରାୱାଲି ଥାନାରେ ଆତ୍ମସମର୍ପଣ କଲାବେଳେ କହିଛନ୍ତି।
ପୁଲିସକୁ ରଘୁବୀର ଆହୁରି ମଧ୍ୟ କହିଛନ୍ତି ଯେ, ବଡ଼ପୁଅର ମୃତ୍ୟୁ ପରେ ବିଧବା ବୋହୂ ମଧ୍ୟ ତାଙ୍କ ଘରେ (ଶାଶୂଘରେ) ରହୁଥିଲେ। ଦୁଇବୋହୂଙ୍କୁ ଏକାଠି ରଖିବାକୁ ତାଙ୍କର ଇଚ୍ଛା ଥିଲା। କିନ୍ତୁ ଦୁଇ ଜାଆଙ୍କ ଭିତରେ ସବୁବେଳେ କଜିଆ ହେଉଥିଲା। ସେଥିପାଇଁ, ପରିବାରରେ ଅଶାନ୍ତି ଲାଗି ରହୁଥିଲା।
ପୁଲିସ ଡେପୁଟି କମିସନର୍ ସୋନମ୍ କୁମାର କହିଛନ୍ତି, ସୋମବାର ରାତିରେ ଦୁଇ ଜାଆଙ୍କ ମଧ୍ୟରେ ଝଗଡ଼ା ଅତି ପ୍ରବଳ ହେଲା। ବାଧା ଦେବାରୁ ସାନବୋହୂ ପ୍ରିୟଙ୍କାଙ୍କଠାରୁ ଗୋଇଠା ଖାଇ ରଘୁବୀର ତଳେ ପଡ଼ିଗଲେ। ରାଗରେ ସେ ଗୋଟାଏ କୁରାଢ଼ି ନେଇ ପ୍ରିୟଙ୍କାଙ୍କ ମୁଣ୍ଡ କାଟି ପକାଇଲେ।
କିର୍ୱାଲି ‘ଏସ୍ଏଚ୍ଓ’ ଉପେନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି, ଅଭିଯୁକ୍ତ ରଘୁବୀରଙ୍କ ପୁଅ ତଥା ନିହତ ପ୍ରିୟଙ୍କାଙ୍କ ସ୍ବାମୀ ଗୌରବ ସମ୍ପ୍ରତି ଫାରୁଖାବାଦ୍ରେ ପୁଲିସ କନେଷ୍ଟବଳ ଭାବେ କାମ କରୁଛନ୍ତି। ଘଟଣା ସମୟରେ ସେ ଘରେ ନ ଥିଲେ। ପ୍ରିୟଙ୍କାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ରଘୁବୀର ଓ ତାଙ୍କ ପରିବାରର ଆଉ ୫ଜଣଙ୍କ ନାଁରେ ‘ଏଫ୍ଆଇଆର୍’ ପଞ୍ଜୀକୃତ ହୋଇଛି। ସେଥିରେ କନେଷ୍ଟବଳ ଗୌରବଙ୍କର ନାଁ ବି ରହିଛି।
ପୁଲିସ ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଛି।