ପୁଲିସର ଭରସା ସିସିଟିଭି ଫୁଟେଜ

ମଦ ଦୋକାନ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା

ବାଲିଅନ୍ତା: ଭୁବନେଶ୍ୱର -ବନମାଳିପୁର ମୁଖ୍ୟ ରାସ୍ତାର ପଞ୍ଚାୟତରୋଡ଼ ଛକ ନିକଟରେ ମଦ ଦୋକାନ କର୍ମଚାରୀ ଜଗବନ୍ଧୁ ସାହୁଙ୍କୁ ଗୁଳିମାଡ଼ କରି ଲୁଟ୍‌ କରିବା ଘଟଣାରେ ପୁଲିସର ତଦନ୍ତ ବେଶି ବାଟ ଆଗେଇ ପାରିନି। ଇତିମଧ୍ୟରେ ୩ ଦିନ ବିତି ଯାଇଥିଲେ ହେଁ ତଦନ୍ତକାରୀ ପୁଲିସ ଟିମ୍‌ ଅପରାଧୀ ଦ୍ୱୟଙ୍କୁ କାବୁ କରିବାରେ ସକ୍ଷମ ହୋଇପାରିନି। ସେମାନେ ମୁହଁରେ କପଡ଼ା ବାନ୍ଧିଥିବାରୁ ଚିହ୍ନିବା ସମ୍ଭବ ହୋଇନଥିଲା ବୋଲି ଜଗବନ୍ଧୁଙ୍କ ସହିତ ଥିବା ପରିବା ବ୍ୟବସାୟୀ ବିନୋଦ ପୁଲିସ ଅଧିକାରୀଙ୍କୁ ପଚରାଉଚରା ବେଳେ କହିଥିବା ବାଳକାଟି ଫାଣ୍ଡିର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ସଂପୃକ୍ତ ଦୁର୍ବୃତ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଅନ୍ୟତମ ଉତ୍ସ ସିସିଟିଭି ହିଁ ଆଉ ଏକମାତ୍ର ମାଧ୍ୟମ ବୋଲି ଜୋନ – ୪ର ଏସିପି ବିଶ୍ୱନାଥ ମିଶ୍ର କହିଛନ୍ତି।

ନିର୍ଦ୍ଦିଷ୍ଟ ସମୟରେ ଜଗବନ୍ଧୁଙ୍କ ବାଇକ୍‌କୁ ପିଛା କରିଥିବା ଯୁବକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଓ ସ୍ପେସାଲ ସ୍କ୍ଵାଡ୍‌ ସିସିଟିଭି ଫୁଟେଜ୍‌ ଯାଞ୍ଚର ସହାୟତା ନେଇଥିବା କୁହାଯାଉଛି। ତେଣୁ ଜଗବନ୍ଧୁ ମଦ ଦୋକାନ ସ୍ଥାନ ପଳାସୁଣିରୁ ବାଇକ୍‌ରେ ଯେଉଁ ବାଟ ଦେଇ ବାଳକାଟି ପର୍ଯ୍ୟନ୍ତ ଆସିଛନ୍ତି, ସେହି ରାସ୍ତା ପାର୍ଶ୍ୱରେ ଥିବା ବାସଗୃହ, ବିଭିନ୍ନ ସଂସ୍ଥା, ଅନୁଷ୍ଠାନ ଓ ଦୋକାନରେ ଲାଗିଥିବା ସିସିକ୍ୟାମେରାକୁ ପୁଲିସ ଏବେ ନିରୀକ୍ଷଣ କରିବା ଆରମ୍ଭ କରିଛି। ବିଳମ୍ବିତ ରାତିରେ ଏହି ନିଛାଟିଆ ସ୍ଥାନରେ ଏଭଳି ଗୁଳିକାଣ୍ଡ କରିଥିବା ଯୁବକମାନେ ସ୍ଥାନୀୟ ଅଞ୍ଚଳର ଅପରାଧୀ କି କମିସନରେଟ୍‌ ପୁଲିସ ଅଧୀନରେ ବିଭିନ୍ନ ଥାନାର ଜଣାଶୁଣା ଅପରାଧୀ ଉପକଣ୍ଠ ଅଞ୍ଚଳରେ ଏହା ଘଟାଇଛନ୍ତି ସେ ନେଇ ପୁଲିସ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି । ତେବେ ସିସିଟିଭି ଫୁଟେଜ୍‌ରୁ ପୁଲିସ ସେମାନଙ୍କ ସଂପର୍କରେ ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରୁଛି । ଏସବୁ ଦିଗକୁ ଦୃଷ୍ଟିରେ ରଖି ସନ୍ଦିଗ୍ଧ ନିର୍ଦ୍ଦିଷ୍ଟ କେତେଜଣ ଅପରାଧୀମାନଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି । ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ସେମାନଙ୍କ ସଂପର୍କରେ ବିଶେଷ କିଛି ସୂଚନା ଦେବାକୁ ମନା କରିଦେଇଛି। ତେବେ ଅପରାଧୀ ଦ୍ୱୟଙ୍କୁ ଧରିବା କମିସନରେଟ୍‌ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ସୂଚନାଯୋଗ୍ୟ ଗତ ୧୦ ତାରିଖ ରାତି ପ୍ରାୟ ୧୨ଟା ବେଳେ ବାଇକ୍‌ରେ ଜଗବନ୍ଧୁ ଓ ବିନୋଦ ବନମାଳିପୁର ଅଭିମୁଖେ ଘରକୁ ଫେରୁଥିବା ବେଳେ ପଞ୍ଚାୟତରୋଡ଼ ଛକ ନିକଟରେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ୫ ହଜାର ଟଙ୍କା ଲୁଟି ଥିଲେ।

ସମ୍ବନ୍ଧିତ ଖବର