ଯୁବକଙ୍କୁ ପୋଡ଼ି ମାରିଦେଲେ!

ହତ୍ୟାକାରୀକୁ ଖୋଜୁଛି ପୁଲିସ

ଭୁବନେଶ୍ୱର: ସପ୍ତାହ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ୨ଜଣ ଶ୍ରମିକ ଜଳିଯିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳର ଲକ୍ଷ୍ମୀବିହାରରେ। ସେଠାରେ ରହୁଥିବା ସୁଦର୍ଶନ ନାଗ(୩୫) ନାମକ ଜଣେ ଯୁବକଙ୍କୁ କେହି ପୋଡ଼ିମାରି ଦେଇଛି। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଦର୍ଶନଙ୍କ ମୃତଦେହକୁ ଜବତ କରିଛି। ସୁଦର୍ଶନଙ୍କ ସ୍ଥାୟୀ ଠିକଣା ମିଳି ନଥିବା ବେଳେ ତାଙ୍କଘର ବଲାଙ୍ଗୀର ଅଞ୍ଚଳ ବୋଲି ପୁଲିସ ଅନୁମାନ କରୁଛି। ପୁଲିସ ସୂଚନା ମୁତାବକ, ଗତକିଛି ଦିନ ହେବ ସୁଦର୍ଶନ ତାଙ୍କ ପତ୍ନୀ, ଝିଅ(୮) ଓ ପୁଅ(୫) ରାଜଧାନୀ ଆସିଥିଲେ। ସେ ଏଠାରେ ସ୍ଥାନୀୟ ଏକ ହୋଟେଲ୍‌ରେ କାମ କରୁଥିବା ବେଳେ ପତ୍ନୀ ସିଲେଇ କାମ କରୁଥିଲେ। କୌଣସି କାରଣରୁ ଗତ ୪-୫ ଦିନ ତଳେ ଘର ପରିବର୍ତ୍ତନ କରି ଲକ୍ଷ୍ମୀବିହାର ଅଞ୍ଚଳର ଏକ ନୂଆ ଭଡ଼ାଘରକୁ ଚାଲି ଆସିଥିଲେ। ହେଲେ ଶନିବାର ଦିନ ସବୁ ଓଲଟପାଲଟ ହୋଇଯାଇଥିଲା। ସୁଦର୍ଶନ ଖାଇପିଇ ପରିବାର ସହ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ ହଠାତ୍‌ ଚିତ୍କାର ଶୁଣାଯାଇଥିଲା। ସୁଦର୍ଶନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କ ଘର ନିକଟରେ ଜମା ହୋଇଯାଇଥିଲେ। ଘର ଭିତରୁ ଧୂଆଁ ଓ ପୋଡ଼ା ଗନ୍ଧ ବାହାରୁଥିଲା। କବାଟ ଖୋଲି ଦେଖିବା ବେଳକୁ ଘର ଭିତରେ ସୁଦର୍ଶନ ଜଳୁଥିଲେ। ଲୋକମାନେ ତୁରନ୍ତ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ସୁଦର୍ଶନଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯିବା ସହ ଘର ଭିତର ସମ୍ପୂର୍ଣ୍ଣ ଜଳିଯାଇଥାଏ। ଲୋକମାନେ ତୁରନ୍ତ ପୁଲିସକୁ ଫୋନ କରିବା ସହ ଅଗ୍ନିଶମ ବିଭାଗକୁ ମଧ୍ୟ ଫୋନକରି ଘଟଣା ବିଷୟରେ ଜଣାଇଥିଲେ। ଖବରପାଇ ପୁଲସ ଘଟଣାସ୍ଥଳରେ ପହଞ୍ଚି ସୁଦର୍ଶନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରିଥିଲା। ହେଲେ କିଛି ସମୟ ଚିକିତ୍ସା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଅନ୍ୟପଟେ ଅଗ୍ନିକାଣ୍ଡକୁ ନେଇ ପୁଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ସୁଦର୍ଶନଙ୍କ ପତ୍ନୀ ଓ ଦୁଇ ସନ୍ତାନ ଘରେ ନଥିବା ପୁଲିସକୁ ଚିନ୍ତାରେ ପକାଇଛି। ଘଟଣା ବିଷୟରେ ଜାଣିବା ପାଇଁ ପୁଲିସ ସୁଦର୍ଶନଙ୍କ ପତ୍ନିଙ୍କୁ ଖୋଜୁଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର