ହୋଟେଲ ମାଲିକଙ୍କ ଅଭିନବ ଠକେଇ, ଥାନାରେ ମାମଲା

ଭୁବନେଶ୍ୱର : ପୁରୀର ଖ୍ୟାତନାମା ହୋଟେଲ୍ ବିଜୟ ଇଣ୍ଟରନାସନାଲ ମାଲିକ ବିଜୟକୃଷ୍ଣ ଦାସ ଓ ତାଙ୍କ ପୁଅ ସନ୍ଦୀପ ଦାସ ଅଭିନବ ଉପାୟରେ ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହୋଟେଲ୍ ଓ ପ୍ରୋସେସିଂ ପ୍ଲାଣ୍ଟକୁ ବର୍ଷାଧିକ କାଳ ପାଇଁ ଲିଜ ଦେଇ ଲିଜ୍ ଅବଧି ଢେର ସମୟ ପୂର୍ବରୁ ଜାଲ କାଗଜପତ୍ର ପ୍ରସ୍ତୁତ ଲିଜ୍‌ଧାରୀକୁ ବେଦଖଲ କରିଛନ୍ତି। ଏଭଳି ଏକ ଅଭିନବ ଠକେଇ ଅଭିଯୋଗ ହେବା ପରେ ନୂଆପଲ୍ଲୀ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ପୁରୀ ଅଠରନଳାସ୍ଥିତ ଜଗନ୍ନାଥ ପ୍ରୋସେସିଂ ପ୍ଲାଣ୍ଟର ମାଲିକ ତଥା ହୋଟେଲ ବ୍ୟବସାୟୀ ବିଜୟକୃଷ୍ଣ ଦାସ ଓ ତାଙ୍କ ପୁତ୍ର ସଂଦୀପ୍ ଦାସ ୫ବର୍ଷ ପାଇଁ ଏହି ପ୍ରୋସେସିଂ ପ୍ଲାଣ୍ଟକୁ ଚିଲିକାରାଣୀ ଫିସଟ୍ରେଡିଂ କଂପାନି ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶଙ୍କୁ ଲିଜ୍‌ ଦେଇଥିଲେ। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଲିଜ୍ ଚୁକ୍ତିପତ୍ର ସଂପାଦନ କରି ଦଖଲ ଦେଇଥିଲେ। ୨୦୧୭ ଜୁନ୍‌ ମାସରୁ ସନ୍ତୋଷ ଦାଶଙ୍କ କଂପାନି ଉକ୍ତ ପ୍ଲାଣ୍ଟ ଜରିଆରେ ମାଛ ବିଦେଶକୁ ରପ୍ତାନି ଓ ଆମଦାନି କରୁଥିଲେ। ଗତ ଦୁଇ ବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଦି ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ ଇମ୍ପୋର୍ଟ ଡେଭଲପମେଣ୍ଟ ଅଥରଟି ଓ ଏକ୍ସପୋର୍ଟ ଇନ୍‌ସ୍ପେକସନ ଏଜେନ୍ସି ନିକଟରେ ପଞ୍ଜୀକରଣ ଓ ନବୀକରଣ ପାଇଁ ଆବେଦନ କରିଥିଲେ। କିନ୍ତୁ ଜଣାପଡ଼ିଥିଲା କି ସନ୍ତୋଷ ଦାଶଙ୍କ ସଂସ୍ଥାର ବ୍ୟବସାୟ ବନ୍ଦ ହୋଇ ବିଜୟକୃଷ୍ଣଙ୍କ ସଂସ୍ଥା ବା ମୂଳ ମାଲିକଙ୍କ ନାମକୁ ହସ୍ତାନ୍ତରିତ ହୋଇଯାଇଛି। ଯଦିଓ ସନ୍ତୋଷ ଏ ନେଇ କୌଣସି କାଗଜପତ୍ର ଦାଖଲ କରିନାହାନ୍ତି। ତନାଘନା ହେବା ପରେ ତାଙ୍କ ଦସ୍ତଖତ ‌ଜାଲ୍‌ କରିବା ସହ ଜାଲ ଲେଟର ପ୍ୟାଡ୍‌ ବ୍ୟବହାର କରି ଏଭଳି ବେଆଇନ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ତଦନ୍ତବେଳେ ଜଣା ପଡ଼ିଥିଲା କି, ପୂର୍ବରୁ ସେମାନେ ତାଙ୍କ ପ୍ରୋସେସିଂ ପ୍ଳାଣ୍ଟକୁ ‘ସି ଗୋଲ୍ଡ ଓଭର ସି ପ୍ରାଇଭେଟ୍ ଲିମିଟେଡ’କୁ ଲିଜ ସୁତ୍ରରେ ଦେଇ ଏଭଳି ଠକିଥିଲେ। ଏ ନେଇ ସଂଦୀପ ଦାସଙ୍କ ନାମରେ ଥାନାରେ ଅଭିଯୋଗ ରହିଛି। ସେହିପରି ବିଜୟ କୃଷ୍ଣ ଦାସ ଓ ତାଙ୍କ ପୁତ୍ର ସଂଦୀପ ଦାସ ନିଜର ହୋଟେଲ ବିଜୟା ଇଣ୍ଟରନ୍ୟାସନାଲକୁ ‘ମିଷ୍ଟର ବାଇକ୍ ହସ୍ପିଟାଲିଟି ଲିମିଟେଡ୍‌’କୁ ଲିଜରେ ଦେଇ ଚଞ୍ଚକତା କରି ଜାଲ କାଗଜପତ୍ର ପ୍ରସ୍ତୁତ କରିଥିଲେ। ସେମାନଙ୍କୁ ମାଡମାରି ବଳପୂର୍ବକ ବେଦଖଲ କରିଥିଲେ। ଅଭିଯୋଗ ହେବା ପରେ ବିଜୟକୃଷ୍ଣ ଦାସ ଓ ସଂଦୀପ ଦାସଙ୍କୁ ପୁରୀ ସମୁଦ୍ରକୂଳ ଥାନା ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତ ବେଳେ ଜଣାପଡ଼ିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର