ଯୁବକ ଆଣିଲେ ସଙ୍ଗୀନ ଅଭିଯୋଗ : ଟଙ୍କା ଲୁଟିନେଲା ଚୋର; ପୁଲିସ କହିଲା ଟଙ୍କା ନେଇ ମାମଲା ରଫାଦଫା କର, ଆଗକୁ ବଢ଼ନାହିଁ

ଭୁବନେଶ୍ବର:  ରାଜଧାନୀ ପୁଲିସର ଲୁଟେରାଙ୍କ ସହ  ସଲାସୁତରା ଅଛି କି ?  ଟଙ୍କା ଲୁଟିନେଲା ଚୋର, ସଲାସୁତରା କଲା ପୁଲିସ । ଭୁବନେଶ୍ବର ଷ୍ଟେସନ ପାଖରୁ ଟଙ୍କା ଲୁଟ ହେବା ପରେ ଲୁଟେରାକୁ ନ ଧରି ବରଂ ଅଧା ଟଙ୍କା ନେଇ କଥା ଚାପି ଦେବାକୁ କହିଲା ପୁଲିସ । ଏଭଳି ଅଭିଯୋଗ ଆଣିଛନ୍ତି ଲୁଟର ଶିକାର ହୋଇଥିବା ଦିଲ୍ଲୀ ଫେରନ୍ତା ଯୁବକ ସୁନୀଲ କୁମାର ଚକ୍ର ।

ଆନନ୍ଦପୁର ଗଡବାନ୍ଧଗଡା ଯିବା ପାଇଁ ସକାଳେ ସେ ଷ୍ଟେସନରେ ଓହ୍ଲାଇବା ପରେ ଏଟିଏମରୁ ୧୬ ହଜାର ଟଙ୍କା ଉଠାଇଥିଲେ । ଆଉ ନୟାପଲ୍ଲୀ ଯିବା ପାଇଁ ଅଟୋ ଚାଳକଙ୍କ ସହ କଥାବାର୍ତ୍ତା କରୁଥିଲେ । ଠିକ ଏହି ସମୟରେ ଜଣେ ଚୋର ତାଙ୍କ ହାତରୁ ଟଙ୍କା ନେଇ ଛୁ ମାରିଥିଲା । ସୁନୀଲ ମଧ୍ୟ ଚୋରକୁ ଧରିବାକୁ ପିଛା କରିଥିବା ବେଳେ ଅଧା ବାଟରେ ଜଣେ ପୁଲିସ କନଷ୍ଟେବଲ ତାଙ୍କୁ ଅଟକାଇଥିଲେ । ଆଉ ସେମାନଙ୍କ ସହ ପଙ୍ଗା ନନେବାକୁ କହିଥିଲେ । ତା’ପରେ ତାଙ୍କୁ ୧୦ ହଜାର ଟଙ୍କା ବଢାଇ ଦେଇ ସଲାସୁତରା  କରିବାକୁ କହିଥିଲେ ପୁଲିସ ବାବୁ ।

ମାତ୍ର ଆଉ ୬ ହଜାର ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରି ପିସିଆରକୁ ଫୋନ କରିଥିଲେ ସୁନୀଲ । ହେଲେ ପିସିଆରରେ ଥିବା ଅଧିକାରୀ ତାଙ୍କୁ ଆଉ ୫ ହଜାର ଦେଇ କଥା ଆଗକୁ ନ ବଢାଇବାକୁ କହିଥିଲେ । ମାତ୍ର ଶେଷରେ ସେ ଜିଆରପି ଥାନାରେ ଅଭିଯୋଗ କରିଛନ୍ତି । ତେବେ କିଏ ସେ ପୁଲିସ ଯିଏ ଲୁଟେରାଙ୍କ ପାଇଁ ହାକିମାତି କରୁଥିଲେ ? କ’ଣ ପାଇଁ ଚୋରକୁ ନଧରି କଥା ଚାପିବାକୁ କହୁଥିଲେ ପୁଲିସ ବାବୁ? ଲୁଟେରାଙ୍କ ସହ ପୁଲିସର ଅଛି କି ଭିତିରି ଲିଙ୍କ? ଏ ସମସ୍ତ ପ୍ରଶ୍ନ ଏବେ ପୁଲିସ ପୋଷାକ ଉପରେ ଆଙ୍ଗୁଠି ଉଠାଇଛି ।

ସମ୍ବନ୍ଧିତ ଖବର