ଅବସରପ୍ରାପ୍ତ ହାବିଲଦାର ଦୁଇ ପୁଅଙ୍କୁ ମାରିଲେ ଗୁଳି, ଜଣେ ମୃତ ଓ ଜଣେ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ନବି ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅବସରପ୍ରାପ୍ତ ପୁଲିସକର୍ମଚାରୀ ଭଗବାନ ପାଟିଲ ନିଜର ଦୁଇ ପୁଅଙ୍କୁ ଗୁଳି ମାରିଛନ୍ତି। ଏହି ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ଗୁରୁତର ପୁଅକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବାପାଙ୍କୁ ପୁଲିସ ଗିରଫ କରି ନେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ବଡ଼ ପୁଅ ପେଟରେ ଗୁଳି ବାଜିଥିଲା। ଯାହାଙ୍କ ଅବସ୍ଥା ଗମ୍ଭୀର ରହିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କୁହାଯାଉଛି କି ଦୁଇପୁଅ ତାଙ୍କ ବାପାଙ୍କୁ ପସନ୍ଦ କରୁ ନଥିଲେ। ସେମାନେ ତାଙ୍କ ବାପାଙ୍କ ସହ ରହିବାକୁ ରାଜି ନଥିଲେ। କୌଣସି କଥାକୁ ନେଇ ପରିବାରରେ ବିବାଦ ଚାଲିଥିଲା।

ଅଭିଯୁକ୍ତ ବାପା ଦୁଇପୁଅକୁ ଘରକୁ ବାହାନା କରି ଡାକିଥିଲେ। ଏହାପରେ ବାପା ନିଜ ପୁଅଙ୍କ ଉପରେ ଚାରିରାଉଣ୍ଡଗୁଳି କରିଥିଲେ। ଏହି ଗୁଳି ମଧ୍ୟରୁ ଗୋଟିଏ ଗୁଳି କାଚ ଫୁଟାଇ ବାହାରକୁ ଚାଲି ଯାଇଥିବା ବେଳେ ଆଉ ତିନିଟି ଗୁଳି ବଡ଼ ପୁଅ ପେଟରେ ବାଜିଥିଲା। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। କିପରି ଜଣେ ବାପା ନିଜ ପୁଅକୁ ଗୁଳି ମାରି ପାରିଲା।

ଏହି ଘଟଣାପରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ପଚରାଉଚରା ପାଇଁ ବିଚାରବିଭାଗୀୟ ହେପାଜତକୁ ନେଇଛି। ତେବେ ପୁଅଙ୍କ ଉପରେ ଭଗବାନ ପାଟିଲ କାହିଁକି ଗୁଳି ଚଳାଇଲେ ସେନେଇ ଏଯାବତ କୌଣସି ସ୍ପଷ୍ଟ ରିପୋର୍ଟ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର