ନୂଆଦିଲ୍ଲୀ: ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କୁ ପରସା ଯିବା ପାଇଁ ପ୍ରସ୍ତୁତ ହେଉଥିବା ଭୋଜନ ହଣ୍ଡାରେ ଜଣେ ପୁଲିସ କର୍ମଚାରୀ ପାଉଁଶ ମିଶାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରି ଦିଆଯାଇଛି। ଘଟଣାର ଭିଡିଓକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସେୟାର କରିଛନ୍ତି।
ଗଙ୍ଗାନଗର ଡିସିପି କୁଲଦୀପ ସିଂହ ଗୁନାବତ କହିଛନ୍ତି, ‘ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏସଏଚଓ ବୃଜେଶ କୁମାର ତିୱାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବନ କରାଯାଇଛି।
ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ଦେଖିବାକୁ ମିଳୁଛି, ଏସଏଚଓ ବୃଜେଶ କୁମାର ତିୱାରୀ ଚୁଲିରେ ବସିଥିବା ହଣ୍ଡା ଭିତରେ ପାଉଁଶ ପକାଇ ଦେଉଛନ୍ତି।
ମହାକୁମ୍ଭ ମେଳାରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଶ୍ରଦ୍ଧାଳୁଙ୍କୁ ପରସା ଯିବା ପାଇଁ ବଡ଼ବଡ଼ ହଣ୍ଡାରେ ଖାଦ୍ୟ ପ୍ରସ୍ତୁତ ଚାଲିଛି। ଏଭଳି ସମୟରେ ଜଣେ ପୁଲିସ ଅଧିକାରୀ ଭୋଜନ ପ୍ରସ୍ତୁତ ହେଉଥିବା ହଣ୍ଡାରେ କାହିଁକି ଏଭଳି ପାଉଁଶ ପକାଇ ଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ଲେଖାହେଲା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିବା ପୁଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସି ନଥିଲା।