ଦୁଷ୍କର୍ମ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଫେରାର

ଭିଓ୍ଵାଣ୍ଡି: ଦୁଷ୍କର୍ମ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଏବଂ ବ୍ଲାକ୍‌ମେଲିଙ୍ଗ୍‌ କରି ବୁକ୍‌ ହୋଇଥିବା ଜଣେ ୩୪ ବର୍ଷିୟ ପୁଲିସ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଫେରାର ହୋଇଯାଇଛନ୍ତି। ବର୍ଷେ ହେବ ଉକ୍ତ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିଲେ।

ରୋହଣ ଗଞ୍ଜାରି ନାମକ ସେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ମହାରାଷ୍ଟ୍ରର କୋଣଗାଁ ଥାନାରେ ନିଯୁକ୍ତି ପାଇଥିଲେ। ୨୬ ବର୍ଷୀୟ ଉକ୍ତ ଦୁଷ୍କର୍ମ ପୀଡ଼ିତା ଯୁବତୀ କହନ୍ତି ଯେ ଦୁଷ୍କର୍ମ ଏଫ୍‌ଆଇଆର୍‌ରେ ତାଙ୍କ ଅନିଚ୍ଛା ସତ୍ତ୍ୱେ ଉଲ୍ଲେଖ ଥିବା ତାଙ୍କ ପ୍ରେମିକଙ୍କ ନାମ କାଟି ଦେବାକୁ ଚାହିଁବାରୁ ଗଞ୍ଜାରି ତାଙ୍କୁ ବ୍ଲାକ୍‌ମେଲ୍‌ କରି ତାଙ୍କ ସହ ଦୁଷ୍କର୍ମ କରିଛନ୍ତି।

୨୦୧୫ରେ ଛୁଟିରେ ନିଜ ମାଉସୀଘରକୁ ଯାଇଥିବା ସମୟରେ ଭିଓ୍ଵାଣ୍ଡି ଠାରେ ସେଲ୍‌ଫୋନ୍‌ ଦୋକାନ ଖୋଲିଥିବା ୨୮ ବର୍ଷିୟ ସତୀଶଙ୍କ ସହ ସେ ଯୁବତୀଙ୍କର ସାକ୍ଷାତ ହୋଇଥିଲା। କ୍ରମେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ନିବିଡ଼ ହେବାରୁ ବିବାହ ପ୍ରତିଶ୍ରୁତି ଦେଇ ସତୀଶ ତାଙ୍କ ସହ ଦୈହିକ ସମ୍ପର୍କ ରଖିଥିଲେ। କିଛି ଦିନ ପରେ ସତୀଶଙ୍କର ଆଗ ପ୍ରେମିକା ରବିୟା ସେମାନଙ୍କ ସମ୍ପର୍କ ବିଷୟରେ ଜାଣିପାରି ଉକ୍ତ ଯୁବତୀଙ୍କୁ ଧମକ ଦେଇଥିଲେ। ଏ କଥା ଆଲୋଚନା ପାଇଁ ରବିୟା ଦିନେ ଯୁବତୀଙ୍କୁ ତାଙ୍କ ଘରକୁ ଡାକିଥିଲେ।

ଘରେ ରବିୟା ତାଙ୍କୁ ନିଶାମିଶ୍ରିତ ପାନୀୟ ଦେଇ ନିଜର ଜଣେ ପୁରୁଷ ବନ୍ଧୁଙ୍କୁ ଲଗାଇ ତାଙ୍କ ସହ ଦୁଷ୍କର୍ମ କରାଇ ସେ ଦୃଶ୍ୟକୁ ରେକର୍ଡ କରିଥିଲେ। ପରେ ରବିୟା ତାଙ୍କୁ ବ୍ଲାକ୍‌ମେଲ୍‌ କରି ୫୦ ହଜାର ଟଙ୍କା ଦାବି କରିଥିଲେ।

ପୀଡ଼ିତା କହନ୍ତି ଯେ ସେ ଗତବର୍ଷ କୋଣଗାଁ ଥାନାକୁ ଯାଇ ରବିୟା ଏବଂ ତାଙ୍କ ବନ୍ଧୁଙ୍କ ନାମରେ ଏତଲା ଦେବାକୁ ଚାହିଁଲେ। କିନ୍ତୁ ପୁଲିସ ସେଥିରେ ସତୀଶଙ୍କ ନାମ ଯୋଡ଼ିଥିଲେ ଏବଂ ଗଞ୍ଜାରି ତାଙ୍କୁ ଗିରଫ କରି ଜେଲ୍‌ରେ ପୂରାଇଥିଲେ। ଏଫ୍‌ଆଇଆର୍‌ରୁ ସତୀଶଙ୍କ ନାମ ହଟାଇବା ନିମନ୍ତେ ଗଞ୍ଜାରି ତାଙ୍କ ଠାରୁ ଦୈହିକ ସୁଖ ଦାବି କରିଥିଲେ।

ଅଗଷ୍ଟ ୮ ତାରିଖ ଦିନ ଗଞ୍ଜାରି ମହିଳାଙ୍କୁ କଲ୍ୟାଣ ଲଜ୍‌କୁ ନେଇ ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ନିଜ ଇଚ୍ଛାରେ ସେ ଗଞ୍ଜାରିଙ୍କ ସହ ଦୈହିକ ସମ୍ପର୍କ ରଖିଛନ୍ତି ବୋଲି ଏକ ଲେଖାରେ ଗଞ୍ଜାରି ତାଙ୍କ ଠାରୁ ଦସ୍ତଖତ କରାଇ ନେଇଥିଲେ। ପରେ ଗଞ୍ଜାରି ବାରମ୍ବାର ଦୈହିକ ସମ୍ପର୍କ ପାଇଁ କହିଥିଲେ। ଏଥିରେ ଅସ୍ଥିର ହୋଇ ଯୁବତୀ ଜଣକ ଗୁରବାର ଦିନ କୋଣଗାଁ ଥାନାରେ ପହଞ୍ଚି ଗଞ୍ଜାରିଙ୍କ ବିରୋଧରେ ଫେରାଦ ହୋଇଥିଲେ।

ଯୁବତୀଜଣକ ଅଭିଯୋଗ ଦାଏର କରିବାର ଅଳ୍ପ କେଇ ଦିନ ଆଗରୁ ଗଞ୍ଜାରି ସହର ଛାଡ଼ି ପଳାଇ ଥିବା କଥା କୋଣଗାଁ ଥାନା କର୍ମଚାରୀମାନେ କହୁଛନ୍ତି।

ସମ୍ବନ୍ଧିତ ଖବର