ବନ୍ଧକ ଘରେ ପୁଲିସର ଚଢ଼ଉ: ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ, ଜଣେ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିଆଣୀ ସମେଇଗାଡ଼ିଆ ଅଞ୍ଚଳରେ ଥିବା ଏକ ବନ୍ଧକ ଘରେ ଚଢ଼ଉ ବେଳେ ପୁଲିସ ଗୋଟିଏ ବନ୍ଧୁକ ଓ ୫ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି। ଘରେ ବେଆଇନ ଭାବେ ମାରଣାନ୍ତ୍ର ରଖିବା ଅଭିଯୋଗରେ ପୁଲିସ ରବୀନ୍ଦ୍ର ମହାନ୍ତି(୫୮) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର। ସେ ଜଣେ ଚିଙ୍ଗୁଡ଼ି ବ୍ୟବସାୟୀ ବୋଲି ପୁଲିସ କହିଛି। ପୁଲିସ ସୂଚନା ମୁତାବକ, ଗତ ୨୦୧୦ ମସିହାରେ ପ୍ରଦୀପ ପାଢ଼ୀ ନାମକ ଜଣେ ବ୍ୟକ୍ତି ପଟିଆ ଅଞ୍ଚଳର ଦୁର୍ଗାଚରଣ ପଟ୍ଟନାୟକଙ୍କ ଠାରୁ ଏହି ଘରକୁ କିଣି ଥିଲେ। ତେବେ କୌଣସି କାରଣରୁ ପ୍ରଦୀପ ୨୦୧୨ ସମିହାରେ ଗ୍ରାମ୍ୟବ୍ୟାଙ୍କରେ ଘର ବନ୍ଧକ ରଖି ୨୦ଲକ୍ଷ ଟଙ୍କା ଋଣ ନେଇଥିଲେ। ପ୍ରଦୀପ ଘରର ଋଣ ପରିଶୋଧ ନ କରି ଏହାକୁ ରବୀନ୍ଦ୍ର ମହାନ୍ତିଙ୍କୁ ବିକ୍ରି କରିଥିଲେ। ତେବେ ଘର ବନ୍ଧକ ଥିବା ରବୀନ୍ଦ୍ରକୁ ଜଣାଇ ନଥିଲେ। ରବୀନ୍ଦ୍ର ଅଧା ଟଙ୍କା ଦେଇ ଘରକୁ ନିଜ ଅକ୍ତିଆରକୁ ନେଇଥିଲେ। ଘରର ସମ୍ପୂର୍ଣ୍ଣ ଟଙ୍କା ଦେବା ପରେ ସେ ରବୀନ୍ଦ୍ରଙ୍କ ନାମରେ ଘର କରିଦେବେ ବୋଲି ପ୍ରଦୀପ ରବୀନ୍ଦ୍ରଙ୍କୁ କହିଥିଲେ। ତେବେ ରବୀନ୍ଦ୍ରଙ୍କ ନାମରେ ଘର ହେବା ପୂର୍ବରୁ ପ୍ରଦୀପଙ୍କ କଳାକାରନାମା ପଦାକୁ ଆସିଥିଲା।

ପ୍ରଦୀପ ଋଣ ପରିଶୋଧ ନ କରିବାରୁ ତାଙ୍କୁ ବ୍ୟାଙ୍କରୁ ବାରମ୍ବାର ନୋଟିସ୍‌ କରାଯାଇଥିଲା। ବ୍ୟାଙ୍କର ନୋଟିସ ସତ୍ତ୍ୱେ ପ୍ରଦୀପ ଋଣ ପରିଶୋଧ କରିନଥିଲେ। ଏକ ମାସତଳେ ଘର ଖାଲି କରିବା ପାଇଁ ବ୍ୟାଙ୍କ ପକ୍ଷରୁ ପ୍ରଦୀପଙ୍କୁ ନୋଟି କରାଯାଇଥିଲା। ହେଲେ ପ୍ରଦୀପ ଏହାର କୌଣସି ଜବାବ ଦେଇନଥିଲେ କି ରବୀନ୍ଦ୍ରଙ୍କୁ କିଛି ବି ଜଣାଇ ନଥିଲେ। ରବୀନ୍ଦ୍ର କିଛି ବୁଝିବା ପୂର୍ବରୁ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଗ୍ରାମ୍ୟବ୍ୟାଙ୍କ ଘରକୁ ନିଜ ଅକ୍ତିଆରରେ ନେବା ପାଇଁ ମଞ୍ଚେଶ୍ୱର ଥାନା ପୁଲିସ ସହାୟତାରେ ଘର ଖାଲି କରିଥିଲା। ତେବେ ଘର ଖାଲି କରୁଥିବା ସମୟରେ ପୁଲିସ ଘରୁ ଏକ ବନ୍ଧୁକ ଓ ୫ଟି ଗୁଳି ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ରବୀନ୍ଦ୍ରକୁ ଗିରଫ କରିଥିଲା। ତାଙ୍କୁ ଥାନାକୁ ଆଣି ପଚରା ଉଚରା ପରେ କୋର୍ଟ ଚାଲାଣ କରିଛି। ତେବେ ରବୀନ୍ଦ୍ରଙ୍କ ଘରୁ ବନ୍ଧୁକ ମିଳିବା ପରେ ପୁଲିସ ସନ୍ଦେହ କରିଛି। ରବୀନ୍ଦ୍ର କେଉଁଠୁ ବନ୍ଧୁକ ଆଣିଲେ? ସେ ବନ୍ଧୁକ ବ୍ୟବସାୟ କରୁଥିଲେ କି? ତାଙ୍କ ସହ କେଉଁମାନେ ସମ୍ପୃକ୍ତ ଅଛନ୍ତି? ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ମଞ୍ଚେଶ୍ୱର ଥାନା ପୁଲିସ।

ସମ୍ବନ୍ଧିତ ଖବର