ହୋଟେଲ୍‌ରେ ପୁଲିସର ରାତିଅଧିଆ ଚଢ଼ଉ

ରାଜଧାନୀରେ ଦୁର୍ଦ୍ଦାନ୍ତ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ !

ଭୁବନେଶ୍ୱର: ରାଜଧାନୀରେ ଲୁଚିଛନ୍ତି ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌। ଏହି ସୂଚନା ପାଇ ସକ୍ରିୟ ହୋଇପଡ଼ିଛି କମିଶନରେଟ୍‌ ପୁଲିସ୍‌। ଆଜି ଦିନରେ ଦୁର୍ଦ୍ଦାନ୍ତ କାଳିଆ ଡକାୟତ ଗ୍ୟାଙ୍ଗକୁ ଧରିଥିବା ରାଜଧାନୀ ପୁଲିସ୍‌ ପୁଣିଥରେ ଲୁଟେରାଙ୍କ ସୂଚନା ପାଇ ବିଭିନ୍ନ ହୋଟେଲ୍‌ ଓ ଲଜିଂ ରେ ରାତି ଅଧିଆ ଚଢ଼ଉ କରିଛି। କ୍ୟାପିଟାଲ୍‌, ଖାରବେଳ ନଗର, ବଡ଼ଗଡ଼, ଲକ୍ଷ୍ମୀସାଗର ଓ ସହିଦନଗର ଭଳି ପାଞ୍ଚଟି ଥାନା ପୁଲିସ୍‌ ମିଳିତ ଭାବରେ ଏହି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ୍‌ ଓ ଲଜିଂ ଉପରେ ଜୋର୍‌ଦାର ଛାପା ମାରିଛି। ପରିଚୟ ଲୁଚାଇ ଲୁଚିଥିବା ସନ୍ଦେହ କରି ଏହି ପାଞ୍ଚ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ା ଚେକିଂ କରାଯାଉଥିବା ସୂଚନା ମିଳିଛି। ହୋଟେଲ ଲଜିଂ ର ରେଜିଷ୍ଟର ଚେକିଂ କରିବା ସହିତ ସବୁ ଅତିଥିଙ୍କ ସୂଚୀ ଚେକ୍‌ କରାଯାଉଛି। ବିଗତ କିଛି ଦିନ ଧରି ରାଜଧାନୀ ଉପରେ ଡକାୟତଙ୍କ ନଜର ରହିଥିବା ଘଟଣା ସ୍ପଷ୍ଟ ହୋଇଯାଇଛି। କମିଶନରେଟ୍‌ ପୁଲିସ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୁବନେଶ୍ୱରରେ ଲୁଟେରା ଓ ଡକାୟତ ମାନଙ୍କର ଅବାଧ ପ୍ରବେଶ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହାସହିତ ହୋଟେଲ୍‌ ଓ ଲଜିଂ ମାଲିକ ମାନଙ୍କୁ ଅତିଥି ମାନଙ୍କର ସୂଚନା ଦେବା ନେଇ ରହିଥିବା ନିର୍ଦ୍ଦେଶନାମା ପାଳନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର