ବାହା ବେଦିରୁ ନାବାଳିକା ବଧୂ ଉଦ୍ଧାର, ଯୁବକ ଅଟକ

ଧଉଳି: ବଳଙ୍ଗା ଥାନା ଅଧୀନ ତରବୋଇ ସ୍ଥିତ ଲକ୍ଷ୍ମୀ ନୃସିଂହନାଥ ମନ୍ଦିର ପରିସରରେ ଅତର୍କିତ ଚଢ଼ଉ କରି ଧଉଳି ଥାନା ପୁଲିସ ଜଣେ ନାବାଳିକା ବଧୁ(୧୪)କୁ ଉଦ୍ଧାର କରିଛି। ଏହା ସହିତ ପୁଲିସ ବର ଜଗବନ୍ଧୁ ବେହେରାକୁ ଥାନାକୁ ଆଣି ପଚରାଉଚରା କରୁଛି। ସେହିପରି ଏଥିରେ ସହଯୋଗ କରିଥିବା ଜଗବନ୍ଧୁର ମାମୁ ଜମ୍ବେଶ୍ବରକୁ ମଧ୍ୟ ପୁଲିସ ଅଟକ ରଖିଛି। ପୁଲିସ ଚଢ଼ଉ ସମୟରେ ପୁରୋହିତ ଓ ଅନ୍ୟ ସଂପର୍କୀୟମାନେ ଖସି ପଳାଇଥିବା ଜଣାପଡ଼ିଛି। ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନାନୁଯାୟୀ ବଳଙ୍ଗା ଥାନା ଅଞ୍ଚଳର ଜଗବନ୍ଧୁ ଜଣେ ଜେସିବି ଚାଳକ। ଧଉଳି ଥାନା ଅଞ୍ଚଳର ନବମ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ୨୦ ତାରିଖରେ ଉଭୟ ଧଉଳିରୁ ଫେରାର ହୋଇ କଟକ ସାଲେପୁର ଅଞ୍ଚଳରେ ରହୁଥିଲେ। ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ବାପ ମା’ ଗତ ସପ୍ତାହରେ ଗାଁ ଭଦ୍ରଲୋକଙ୍କ ସହାୟତାରେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଉଭୟ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ଜଗବନ୍ଧୁ ପିପିଲି ଥାନା ନୂଆଶାସନର ତାଙ୍କ ମାମୁ ଜମ୍ବେଶ୍ବରଙ୍କ ସହାୟତାରେ ବଳଙ୍ଗା ଥାନା ଅଞ୍ଚଳରେ ଥିବା ଲକ୍ଷ୍ମୀ ନୃସିଂହନାଥ ମନ୍ଦିର ପରିସରରେ ବିବାହ କରୁଥିଲେ। ପ୍ରଥମ ବରଣି ଓ ଦ୍ବିତୀୟ ବରଣି ସରିଥିଲା। ମାତ୍ର ହାତଗଣ୍ଠି ପଡ଼ିବା ପୂର୍ବରୁ ପୁଲିସ ସେଠାରେ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଜଗବନ୍ଧୁ ଓ ମାମୁ ଜମ୍ବେଶ୍ବରକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର