ଭୁବନେଶ୍ୱରରେ ନକଲି ଘିଅ କାରଖାନା ଉପରେ ଚଢ଼ାଉ, ୬ ଗିରଫ, ଦୁଇ କୁଇଣ୍ଟାଲ ନକଲି ଘିଅ ଜବତ

ଭୁବନେଶ୍ୱର: ହୁସିଆର। ଆପଣ ଘରେ ଯେଉଁ ଘିଅ ବଜାରରୁ କିଣି ନେଇ ବ୍ୟବହାର କରୁଛନ୍ତି, ତାହା ଅସଲି ହୋଇ ନ ଥାଇ ପାରେ। ହୁଏତ ଆପଣ ନକଲି ଘିଅ ଦୀର୍ଘ ଦିନ ହେବ ବ୍ୟବହାର କରି ଆସୁଛନ୍ତି। ଫଳରେ ଆପଣ ବିଭିନ୍ନ ରୋଗର ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେବେ ଏହିପରି ନକଲି ଘିଅ ଭୁବନେଶ୍ୱର ବଜାରରେ କାରବାର ହେଉଥିବା ସୂଚନା ପାଇ କମିସନରେଟ୍‌ ପୁଲିସ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବଙ୍ଗାଳି ସାହିରେ ଗତକାଲି ରାତିରେ ଚଢ଼ାଉ କରି ଏକ ନକଲି ଘିଅ ତିଆରି କାରଖାନା ଠାବ କରିଛି। କେବଳ ସେତିକି ନୁହେଁ, ଏହି ନକଲି ଘିଅ କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଘଟଣାସ୍ଥଳରୁ ପୁଲିସ ଗିରଫ କରିଛି।

ନିର୍ଦ୍ଦିଷ୍ଟ ସୂଚନା ପାଇ କମିସନରେଟ୍‌ ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ବଙ୍ଗଳିସାହିରେ ଏକ ନିର୍ଦ୍ଦିଷ୍ଟ ଘରେ ଚଢ଼ାଉ କରି ଦୁଇ କୁଇଣ୍ଟାଲ ନକଲି ଘିଅ ଜବତ କରିବା ସହିତ ନକଲି ଘିଅ ତିଆରିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଥିଲା। ରିଫାଇନ୍‌ ତେଲ ଓ ବୋରେକ୍ସ ପାଉଡର ବ୍ୟବହାର କରାଯାଇ ଏହି ନକଲି ଘିଅ ପ୍ରସ୍ତୁତ କରାଯାଉଥିବା ପୁଲିସ ଜାଣିପାରିଛି। ତେବେ ପୁଲିସ ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି। ଫଳରେ ଏହି ନକଲି କାରବାରରେ ସମ୍ପୃକ୍ତ ର‍୍ୟାକେଟ୍‌ ସମ୍ପର୍କରେ ଅଧିକ ସୂଚନା ମିଳି ପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର