ଯୁବକଙ୍କୁ ଖଣ୍ଡା ଚୋଟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ୱର: କିଛି ଦିନ ହେବ ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ ବଜାର ଅଞ୍ଚଳ ଅସୁରକ୍ଷିତ ହୋଇପଡ଼ିଛି। ୩ ଦିନ ତଳେ ଦିନ ଦିପହରେ ସେଠାରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ କୁରୁମା ରାଓ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି। ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ କୁରୁମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା।

ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ୯ଟାରେ କୁରୁମା ଏକ ହୋଟେଲ୍‌କୁ ଖାଇବା ପାଇଁ ଯାଇଥିଲେ। ଏହି ସମୟରେ ୩ଜଣ ଯୁବକ ଏକ ବାଇକ୍‌ରେ ହୋଟେଲ୍‌ ନିକଟରେ ପହଞ୍ଚିଥିଲେ। କୁରୁମାଙ୍କୁ ଖାଉଥିବା ଦେଖି ଦୁର୍ବୃତ୍ତମାନେ ସେଠାରେ ଥିବା ଏକ ଅନ୍ଧାରିଆ ସ୍ଥାନରେ ଛକି ରହିଥିଲେ। କୁରୁମା ଘରକୁ ଯିବା ପାଇଁ ବହାରୁ ଥିବା ବେଳେ ସେମାନେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଓ ପିଠିକୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ। କୁରୁମା ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ସେଠାରେ ଥିବା ଲୋକମାନେ କୁରୁମାଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁରୁମାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର