ମୁମ୍ବାଇ: ଜୁନ୍ ୨୩ ତାରିଖରେ ଥାନେର କଲ୍ୟାଣ ଅଞ୍ଚଳରେ ୨୫ବର୍ଷୀୟ ଜଣେ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ପୁଲିସ ଏବେ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ପଶ୍ଚିମବଙ୍ଗରେ ବସବାସ କରୁଥିବା ଜଣାପଡ଼ିଛି।
ପୁଲିସ କୁକୁଡାର ପର, ମାଂସ ଖଣ୍ଡ ଓ ଏକ ତାବିଜ ଆଧାରରେ ହତ୍ୟାକାରୀ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି। ଏହି ହତ୍ୟାଘଟଣାରେ ଜଣେ ଅଭିଯୁକ୍ତ ଫେରାର ରହିଛି। ପ୍ରମାଣ ହଟାଇବା ପାଇଁ ଅଭିଯୁକ୍ତ ମହିଳାଙ୍କ ହତ୍ୟା ପରେ ମୃତଦେହକୁ ଜଳାଇ ଦେବାକୁ ଉଦ୍ୟମ କରିଥିଲା।
ଘଟଣାଟି ହେଉଛି ଏପରି, ଜୁନ୍ ୨୩ରେ ଥାନେ ଜିଲ୍ଲାର କଲ୍ୟାଣ ଅଞ୍ଚଳରେ ରାୟ-ଖଣ୍ଡବଳି ରାସ୍ତା ପାଖରେ ୨୫ବର୍ଷୀୟ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ହତ୍ୟା ପରେ ପ୍ରମାଣ ହଟାଇବାକୁ ହତ୍ୟାକାରୀ ମହିଳାଙ୍କ ମୃତଦେହକୁ ଜଳାଇ ଦେବାକୁ ବି ଚେଷ୍ଟା କରିଥିଲା। ଏହି ହତ୍ୟା ଘଟଣାର ଯାଞ୍ଚ ପରେ ପୁଲିସ ମୃତଦେହକୁ ଯେଉଁ ବସ୍ତାରେ ଭରି ଫିଙ୍ଗା ଯାଇଥିଲା ସେହି ବସ୍ତାରେ କୁକୁଡା ପର ଓ ଚିକେନ୍ ଖଣ୍ଡ ପାଇଥିଲା। ମହିଳା ତାଙ୍କ ଅଣ୍ଟାରେ ଏକ ତାବିଜ ପିନ୍ଧିଥିଲେ, ଯେଉଁଥିରେ ବଙ୍ଗାଳୀ ଭାଷାରେ କିଛି ଲେଖାଥିଲା। ଏହି ପ୍ରମାଣ ଆଧାରରେ ମହିଳା ପଶ୍ଚିମବଙ୍ଗର ଓ ହତ୍ୟାକାରୀ କୁୁକୁଡା-ମାଂସ ଦୋକାନ ଚାଳଉଥିବା ବ୍ୟବସାୟୀ ଅଟେ ବୋଲି ଅନୁମାନ କରାଯାଉଥିଲା।
ଏହାପରେ ପୁଲିସ ହତ୍ୟାକାରୀ ଆଲମ ଶେଖ୍ ନାମକ ଜଣେ ବ୍ୟକ୍ତି ଗାଏବ ଥିବା ଜାଣିବାକୁ ପାଇଥିଲା। ପଚରାଉଚରାରୁ ଜଣାପଡ଼ିଲା ଶେଖ୍ଙ୍କ ମୋନି ନାମ୍ନୀ ମହିଳାଙ୍କ ସହିତ ବନ୍ଧୁତା ଥିଲା, ଗତ କିଛିଦିନ ହେବ ଦୁହେଁ କେଉଁଆଡେ ଗାଏବ ହୋଇଯାଇଛନ୍ତି। ତେବେ ଶେଖ୍ର ତାର ଜଣେ ବନ୍ଧୁସହ ମିଶି ଏହି ହତ୍ୟାକାଣ୍ଡ ରଚି ଥିବା ଜଣାପଡ଼ିଛି।