ପୁଲିସ୍‌ କର୍ମଚାରୀଙ୍କ ମୋବାଇଲ୍‌ ଓ ଟଙ୍କା ଲୁଟ୍‌

ଜେଲ୍‌ ଗଲେ ଦୁଇ ଚୋର, ୪ ଫେରାର

ଧଉଳି: ଆଜି ଉତ୍ତରା ଫାଣ୍ଡି ପୁଲିସ ଜଣେ ପୁଲିସ କର୍ମଚାରୀଙ୍କ ଦାମୀ ମୋବାଇଲ୍‌ ଫୋନ୍‌ ଓ ଟଙ୍କା ଲୁଟି ନେବା ମାମଲାରେ ଦୁଇ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପିପିଲି ଥାନା ଅଞ୍ଚଳର ଚିନୁ ଓରଫ ଚିନ୍ମୟ ଭୋଇ (୨୧) ଓ ପ୍ରଫୁଲ୍ଲ ଓରଫ ସଂଜୟ ଭଞ୍ଜ (୩୪) । ହେଲେ ପୁଲିସ ସେମାନଙ୍କ ନିକଟରୁ ଚୋରି ମୋବାଇଲ ଓ ଟଙ୍କା ଉଦ୍ଧାର କରିପାରି ନଥିବା କହିଛି। ଫାଣ୍ଡି ଅଧିକାରୀ ବେଣୁଧର ରାୟଙ୍କ ସୂଚନାନୁସାରେ ଗତ ଅଗଷ୍ଟ ୧୫ ତାରିଖ ଅପରାହ୍ନ ୩ଟା ବେଳେ ଟ୍ରାଫିକ୍‌ ପୁଲିସ ଭାବେ କାର୍ଯ୍ୟରତ ସୁବ୍ରତ ପ୍ରଧାନ ବାଇକ୍‌ରେ କଟକ ଅଭିମୁଖେ ଯାଉଥିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତରା ଫାଣ୍ଡି ଅଧୀନ ଷ୍ଟେଟ୍‌ ଫିସରୀ ଗେଟ୍‌ ନିକଟରେ ଉପରୋକ୍ତ ଯୁବକମାନେ ତାଙ୍କୁ ଅଟକାଇ ମାଡ଼ ମାରିବା ସହ ପକେଟ୍‌ରୁ ମୋବାଇଲ ଫୋନ୍‌ ଓ ୨୦୦୦ ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ମାମଲାରେ ସଂପୃକ୍ତ ଆଉ ୪ ଜଣ ଏବେ ସୁଦ୍ଧା ଫେରରା ଥିବା ବେଳେ ଫାଣ୍ଡି ପୁଲିସ ଟିମ୍‌ ଆଜି ଚିନୁ ଓ ପ୍ରଫୁଲ୍ଲକୁ ଧରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର