ମଥୁରା: ଫୁଲମାଳ ପିନ୍ଧାଇ ପାଦ ଛୁଇଁଲେ। ଆଶୀର୍ବାଦ ନେଇ କାନରେ କହିଲେ; ଆପଣଙ୍କୁ ଗିରଫ କରିବାକୁ ଆସିଛୁ। ଏଭଳି ଦୃଶ୍ୟ ଆପଣ କେବଳ ଫିଲ୍ମରେ ଦେଖିଥିବେ। ହେଲେ ଏବେ ଅସଲ ଜୀବନରେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ବାବାଙ୍କୁ ଗିରଫ କରିବା ପାଇଁ ମଧ୍ୟପ୍ରଦେଶ ପୁଲିସ ଏକ ସ୍ୱତନ୍ତ୍ର ଅପରେସନ କରିଥିଲା ।
ମଧ୍ୟପ୍ରଦେଶ ପୁଲିସ ଟିମ୍ ଉତ୍ତରପ୍ରଦେଶର ମଥୁରାରେ ଥିବା ଏକ ମନ୍ଦିରକୁ ସାଧା ପୋଷାକରେ ଭକ୍ତ ଭାବରେ ଯାଇ ବାବାଙ୍କ ପାଖରେ ପହଞ୍ଚିଥିଲା। ଗିରଫ କରିବା ପୂର୍ବରୁ ଅଧିକାରୀମାନେ ବାବାଙ୍କୁ ମିଠା ଏବଂ ଫୁଲମାଳ ଅର୍ପଣ କରିଥିଲେ। ଏହା ସହ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥିଲେ। ଏସବୁ କରିବା ପରେ ବାବାଙ୍କ କାନ ପାଖକୁ ଯାଇ ଆପଣଙ୍କୁ ଗିରଫ କରିବାକୁ ଆସିଛୁ ବୋଲି କହିଥିଲେ ଟିମ୍। ଗିରଫ କଥା ଶୁଣି ବାବାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ବାବାଙ୍କ ନାମ ରାମ ଶରଣ ବୋଲି ଜଣାପଡ଼ିଥିବା ବେଳେ ସେ ମଧ୍ୟପ୍ରଦେଶର ମୋରେନାରେ ଏକ ଜମି ବିବାଦ ମାମଲାରେ ଅଭିଯୁକ୍ତ ଥିଲେ। ଏହି ମାମଲାକୁ ନେଇ ଗିରଫ ହେବାର ଡର ଥିବାରୁ ସେ ମଥୁରାକୁ ପଳାଇ ଆସିଥିଲେ। ପରେ ପୁଲିସ ଖୋଜାଖୋଜି କରି ତାଙ୍କୁ ମଧୁରାର ରାମ ଜାନକୀ ମନ୍ଦିର ଆଶ୍ରମରୁ ଗିରଫ କରିଥିବା ଜଣାପଡ଼ିଛି।
ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ମୋରେନାର ଏକ ମନ୍ଦିରକୁ ଲାଗିଥିବା ୬ଏକରରୁ ଅଧିକ ଜମିରେ ନିର୍ମିତ ଦୋକାନଗୁଡ଼ିକରୁ ଭଡା ନେବା ପାଇଁ ବାବା ଏକ ନକଲି ଟ୍ରଷ୍ଟ ତିଆରି କରିଥିବା ଅଭିଯୋଗ ହୋଇଛି।